ବ୍ୟାଙ୍କ ଯାଇପାରୁନଥିବା ହିତାଧିକାରୀଙ୍କୁ ଦୁଆରେ ମିଳିବ ଭତ୍ତା

ନୂଆଦିଲ୍ଲୀ :  ବ୍ୟାଙ୍କ ଯାଇପାରୁନଥିବା ହିତାଧିକାରୀଙ୍କ ନିକଟରେ ଭତ୍ତା ପହଞ୍ଚାଇବେ ବ୍ୟାଙ୍କ କର୍ତ୍ତୃପକ୍ଷ । ବୟସାଧିକ ଓ ଅସୁସ୍ଥତା କାରଣରୁ ଯେଉଁମାନେ ବ୍ୟାଙ୍କକୁ ଯାଇ ବାର୍ଦ୍ଧକ୍ୟ ଭତ୍ତା ଆଣିପାରୁନାହାନ୍ତି ସେମାନଙ୍କ ଘରେ ଟଙ୍କା ପହଞ୍ଚାଇବ ବ୍ୟାଙ୍କ । ଏଥିପାଇଁ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ସ୍ବଚ୍ଛତା ରକ୍ଷା ପାଇଁ ହିତାଧିକାରୀଙ୍କ ଆକାଉଣ୍ଟରେ ଡିବିଟି ମାଧ୍ୟମରେ ଭତ୍ତା ଟଙ୍କା ଜମା ହେଉଛି । ତେବେ ଅନେକ ହିତାଧିକାରୀ ଭତ୍ତା ଟଙ୍କା ପାଇଁ ଦହଗଞ୍ଜ ହେଉଥିବା ଅଭିଯୋଗ ହେଉଛି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଶାସନ ସଚିବ ।

ଅନେକ ସମୟରେ ଆଧାର ଓ ସର୍ଭରରେ ସମସ୍ୟା ଦେଖାଯାଉଛି । ହିତାଧିକାରୀ ବ୍ୟାଙ୍କ ଦୌଡ଼ିଲେ ବି ସମାଧାନର ବାଟ ଫିଟୁନାହିଁ । ଉଭୟ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଏବଂ ମଧୁବାବୁ ପେନ୍ସନ୍ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଉଛି । କିନ୍ତୁ ବ୍ୟାଙ୍କରେ ହିତାଧିକାରୀଙ୍କ ଆଧାର ବୈଧତା ପ୍ରମାଣିତ ହୋଇପାରୁନଥିବାରୁ ଭତ୍ତା ଟଙ୍କା ଉଠାଇବାକୁ ହିତାଧିକାରୀ ଅସମର୍ଥ ହେଉଛନ୍ତି ।

ଆଧାର ଯୋଗୁ ଅର୍ଥ ଉଠାଣରେ ସମସ୍ୟା ହେଉଥିବା ତଥ୍ୟକୁ ବିଭାଗ ଦିଆଯିବାକୁ ବ୍ୟାଙ୍କକୁ କୁହାଯାଇଛି । ୨୪ ଘଣ୍ଟା ମଧ୍ୟରେ ହିତାଧିକାରୀଙ୍କୁ ସେମାନଙ୍କର ଘର ପାଖରେ ଉଠାଣ ସ୍ଲିପ୍ ଜରିଆରେ ଭତ୍ତା ଟଙ୍କା ପ୍ରଦାନକୁ ବ୍ୟାଙ୍କ କର୍ତ୍ତୃପକ୍ଷ ସୁନିଶ୍ଚିତ କରିବେ। ଯେଉଁମାନେ ବ୍ୟାଙ୍କରୁ ଭତ୍ତା ପାଇବାରେ ଅସମର୍ଥ ସେମାନଙ୍କ ଦୁଆରେ ବ୍ୟାଙ୍କ କର୍ମଚାରୀ ଭତ୍ତା ଟଙ୍କା ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।