ଏଣିକି ସପ୍ତାହକୁ ଦୁଇ ଦିନ ଛୁଟି ପାଇବେ ବ୍ୟାଙ୍କ କର୍ମଚାରୀ !

1 min read

ନନ୍ଦିଘୋଷ ବ୍ୟୁରୋ: ବ୍ୟାଙ୍କ କର୍ମଚାରୀଙ୍କ ଲାଗି ଖୁସି ଖବର । ଖୁବ୍ ଶୀଘ୍ର ବଦଳିପାରେ ସାପ୍ତାହିକ କାର୍ଯ୍ୟସୂଚୀ । ସପ୍ତାହରେ ସେମାନେ ପାଇପାରନ୍ତି 2ଟି ଓ୍ବିକଲି ଅଫ । ଏନେଇ ଚିନ୍ତା କରୁଛି ଇଣ୍ଡିଆନ ବ୍ୟାଙ୍କସ୍ ଆସୋସିଏସନ ବା ଆଇବିଏ । ସପ୍ତାହକୁ 5 ଦିନ ଡ୍ୟୁଟି ପ୍ରସଙ୍ଗରେ ବିଭିନ୍ନ ବ୍ୟାଙ୍କ ୟୁନିଅନର ଦାବିକୁ ଗୁରୁତ୍ବର ସହ ବିଚାର କରୁଛି ଆଇବିଏ । ଯଦି ସପ୍ତାହକୁ 5 ଦିନିଆ କାର୍ଯ୍ୟଦିବସ ନିୟମ ଲାଗୁ କରାଯାଏ ତେବେ ଦୈନିକ କାର୍ଯ୍ୟନିର୍ଘଣ୍ଟକୁ ଅଧିକ 50 ମିନିଟ ବଢାଇବା ଲାଗି ଆଇବିଏ ଚିନ୍ତାକରୁଛି ।

ଏହି ପ୍ରସ୍ତାବ ସମ୍ପର୍କରେ ଆଇବିଏ ଓ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ଏମ୍ପ୍ଲୟିଜ୍ ବା UFBE ସହ ଆଲୋଚନା ହୋଇଛି । UFBEର ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଲାଗି ଆଇବିଏ ସମ୍ମତି ଜଣାଇଥିବା ସୂଚନା ମିଳିଛି । ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏନ ବା AIBOA ସାଧାରଣ ସମ୍ପାଦକ ଏସ. ନାଗରାଜନ କହିଛନ୍ତି- ନେଗୋସିଏବଲ ଇନଷ୍ଟ୍ରୁମେଣ୍ଟସ୍ ଆକ୍ଟର ଧାରା 25 ଅନୁସାରେ ସମସ୍ତ ଶନିବାରକୁ ଛୁଟି ଘୋଷଣା କରିବା ଲାଗି ସରକାର ବିଜ୍ଞପ୍ତି ଜାରି କରିବା ପରେ ଏହି ନିୟମ କାର୍ଯ୍ୟକାରୀ ହେବ ।

ବର୍ତ୍ତମାନର ନିୟମ ଅନୁସାରେ ପ୍ରତି ଗୋଟିଏ ଶନିବାର ଅନ୍ତରରେ ପରବର୍ତ୍ତୀ ଶନିବାର ବ୍ୟାଙ୍କ ବନ୍ଦ ରହୁଛି । ଯଦି ସାପ୍ତାହିକ 5ଦିନିଆ କାର୍ଯ୍ୟ ନିୟମ କାର୍ଯ୍ୟକାରୀ ହୁଏ ତେବେ ବ୍ୟାଙ୍କର କାର୍ଯ୍ୟନିର୍ଘଣ୍ଟ ସକାଳ 9ଟା 45ରୁ ଅପରାହ୍ଣ 5ଟା 30 ଯାଏ ଚାଲିବ । ପ୍ରସ୍ତାବକୁ ଯଦି ଆଇବିଏ ସ୍ବୀକୃତି ଦିଏ ତେବେ ଏହାକୁ ଅର୍ଥ ମନ୍ତ୍ରାଳୟକୁ ପଠାଯିବ ଏବଂ ଶେଷରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଚୂଡ଼ାନ୍ତ ସମ୍ମତି ଦେବ ।