ଆକ୍ସନ ମୋଡରେ ଏସଟିଏଫ ଡିଆଇଜି, ଅନୁପ୍ରବେଶକାରୀଙ୍କ ଆଡ୍ଡାରେ ହେବ ଚଢାଉ
1 min read
ଭୁବନେଶ୍ବର : ବାଂଲାଦେଶୀ ସାବଧାନ । ଗଳାବାଟ ଦେଇ ପ୍ରବେଶ କଲେ ତ୍ରାହି ନାହିଁ । ଆକ୍ସନ ମୋଡ଼କୁ ଆସିଲେ ଏସଟିଏଫ ଡିଆଇଜି । ଅନୁପ୍ରବେଶକାରୀଙ୍କ ଉପରେ କଡା ନଜର । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଆଡ୍ଡା ସ୍ଥଳୀରେ ଚଢ଼ାଉ ହେବ । କିଏ, କେମିତି ଓ କେଉଁ ଉଦ୍ଦେଶ୍ୟରେ ଓଡ଼ିଶାରେ ଡେରା ପକାଇଛନ୍ତି, ସେ ନେଇ ଚାଲିଛି ଖୋଲତାଡ଼ । ଏ ନେଇ ଏକ ସ୍ପେଶାଲ ଟିମ ଗଠନ କରାଯାଇଛି । ତେବେ କଥା ହେଉଛି, ଅନୁପ୍ରବେଶକାରୀଙ୍କ ମାଷ୍ଟରମାଇଣ୍ଡ କିଏ ? କିଏ ସେମାନଙ୍କୁ ଓଡିଶା ଆଣୁଥିଲା ? ଜାଲ୍ ଡକ୍ୟୁମେଣ୍ଟ କିଏ ପ୍ରସ୍ତୁତ କରୁଥିଲା ? ସେ ନେଇ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ । STF ସ୍କାନରରେ ରହିଛନ୍ତି ଶତାଧିକ ଦଲାଲ । ତେବେ ଜଳପଥରେ ଅନୁପ୍ରବେଶକାରୀ ଓଡିଶା ଭିତରକୁ ପ୍ରବେଶ କରୁଥିବା ବେଳେ ସେମାନଙ୍କ ସାହାଯ୍ୟରେ ଜାଲନୋଟ କାରବାର, ଚୋରା ଗାଡି ଚାଲାଣ, ନିଶା କାରବାର, ବନ୍ଧୁକ ଚୋରା ଚାଲାଣ ବଢୁଥିବା ଜାଣିବାକୁ ପାଇଛି STF ।
ଗତକାଲି ଭୁବନେଶ୍ବର ରେଳଷ୍ଟେସନରୁ ୧୦ ବାଂଲାଦେଶୀ ଗିରଫ ହୋଇଥିଲେ । ଅନୁପ୍ରବେଶକାରୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ STF । ବିନା କୌଣସି ପାସପୋର୍ଟ ଓ ଭିସାରେ ଏମାନେ ଭାରତରେ ପ୍ରବେଶ କରିବା ସହ ଭୁବନେଶ୍ବର ରେଳ ଷ୍ଟେସନରେ ରହୁଥିଲେ । ଗିରଫ ବାଂଲାଦେଶୀଙ୍କ ମଧ୍ୟରେ ୬ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ଓ ଜଣେ ନାବାଳକ ଥିଲେ । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୭ ଟି ମୋବାଇଲ, ବଙ୍ଗଳାଦେଶ ଟଙ୍କା ସହ ଅନେକ ସମାଗ୍ରୀ ଜବତ କରାଯାଇଥିଲା। ସମସ୍ତ ଅଭିଯୁକ୍ତ ଆସାମ ଡୁବୁରି ଦେଇ ଭାରତକୁ ପ୍ରବେଶ କରିଥିଲେ । ମାର୍ଚ୍ଚ ୬ ତାରିଖରେ ଦିବ୍ରୁଗଡ଼- ଚେନ୍ନାଇ ଏକ୍ସପ୍ରେସରେ ବେଙ୍ଗାଳୁରୁ ଯାଉଥିବା ବେଳେ ଧରିଥିଲା ଏସଟିଏଫ । ତେବେ ସ୍ପେଶାଲ ଟିମର ଏହି ସ୍ପେଶାଲ ଅପରେସନ ଜାରି ରହିବ ବୋଲି କହିଛନ୍ତି ଡିଆଇଜି । ଭାରତର ସୀମା ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନୁପ୍ରବେଶକୁ ପ୍ରଶୟ ଦେଉଥିବା ଅନେକ ଏଜେଣ୍ଟ ଭାରତର ବିଭିନ୍ନ ସହରରେ ଥିବା ଜଣାପଡ଼ିଛି । ସେମାନଙ୍କୁ ତୁରନ୍ତ ଠାବ କରିବାକୁ ଭାରତର ବିଭିନ୍ନ ସୁରକ୍ଷା ସଂସ୍ଥା ଏବେ ଏସ୍ଟିଏଫ୍ ଯୋଗାଯୋଗରେ ଅଛନ୍ତି । ଏହାକୁ ନେଇ ଏକ ବଡ଼ଧରଣର ଖୋଳତାଡ଼ ହେବ ବୋଲି ଜଣାପଡ଼ିଛି ।