ବାଲେଶ୍ବରରେ ବଢୁଛି ବାଂଲାଦେଶୀଙ୍କ ସଂଖ୍ୟା, ନିଶା କାରବାର ଓ ଅପରାଧରେ ବାଂଲାଦେଶୀଙ୍କ ସଂପୃକ୍ତି

ବାଲେଶ୍ବର: ବାଲେଶ୍ବରରେ ଦିନକୁ ଦିନ ବଢିବାରେ ଲାଗିଛି ବାଂଲାଦେଶୀଙ୍କ ସଂଖ୍ୟା। ବାଲେଶ୍ବର ଉପକଣ୍ଠରେ ବଢୁଛି ଝୁମ୍ପୁଡ଼ି ବସ୍ତି । ବସ୍ତିରେ ଥିବା ଜନସଂଖ୍ୟା ମଧ୍ୟରୁ ଅଧିକ ବାଂଲାଦେଶୀ । ସମୁଦ୍ରକୂଳ ଅଞ୍ଚଳରେ ସମାନ ସ୍ଥିତି। ଜନବସତି ଓ ସମୁଦ୍ର ଆଡ଼ିବନ୍ଧ ମଝିରେ ଥିବା ସରକାରୀ ଜମିକୁ ମାଡ଼ି ବସିଲେଣି ଅନୁପ୍ରବେଶକାରୀ। ଜଣେ ଝାଟିମାଟି ଘରକରି ରହିବାପରେ ପରବର୍ତ୍ତୀ ସମୟରେ ସେମାନଙ୍କ ସମ୍ପର୍କୀୟ ଆସି ତିଆରି କରୁଛନ୍ତି ଗାଁ। କିଏ ରାଜମିସ୍ତ୍ରୀ ତ କିଏ ଗାଁକୁ ଗାଁ ବୁଲି ଫେରି କରୁଛନ୍ତି । କିଛି ସମୁଦ୍ରରୁ ମାଛ ମାରିବାରେ ଟ୍ରଲର୍, ବୋଟରେ ନିୟୋଜିତ ହେଉଛନ୍ତି । ଏପରିକି ବେଆଇନ ଭାବେ ଆଧାର କାର୍ଡ ହାତେଇ ଭାରତୀୟ ଭାବେ ବିଦେଶକୁ ଯାଉଥିବା ଅଭିଯୋଗ ହୋଇଛି। ତେବେ ଅଞ୍ଚଳରେ ନିଶା, ଚୋରି, ଛିନତାଇ, ହତ୍ଯା ପରି ଘଟଣାରେ ବାଂଲାଦେଶୀଙ୍କ ସଂପୃକ୍ତି ଅଭିଯୋଗ ଆସିବା ପରେ ଚିନ୍ତାରେ ଲୋକେ । ତୁରନ୍ତ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି କାର୍ଯ୍ଯାନୁଷ୍ଠାନ ପାଇଁ ଦାବି ହୋଇଛି ।
ଓଡ଼ିଶା ବିଧାନ ସଭାରେ ରାଜସ୍ଵ ମନ୍ତ୍ରୀଙ୍କ ଉତ୍ତରରୁ ମିଳିଥିବା ତଥ୍ୟ ଅନୁସାରେ ଓଡ଼ିଶାର ୧୧ ଜିଲ୍ଲାରେ ମୋଟ ୧ ଲକ୍ଷ ୫୭ ହଜାର ୪୩୨ ଜଣ ବାଂଲାଦେଶୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ମାଲକାନାଗିରି ଜିଲ୍ଲାରେ ସର୍ବାଧିକ ୧ ଲକ୍ଷ ୪ ହଜାର ୨୩୩ । ହେଲେ ବାସ୍ତବ ସ୍ଥିତି ଭିନ୍ନ । ଅନେକ ଅନୁପ୍ରବେଶକାରୀ ବେଆଇନଭାବେ ପ୍ରମାଣପତ୍ର ପ୍ରସ୍ତୁତ କରି ଭାରତୀୟ ପାଲଟି ଯାଇଥିବା ଗୁଇନ୍ଦା ବିଭାଗ ନିକଟରେ ସୂଚନା ରହିଛି । ନିକଟରେ ହାଇୱେ ଡ଼କାୟତି, ଟ୍ରିପଲ ମର୍ଡ଼ର, ବ୍ରାଉନସୁଗାର ଚାଲାଣ ମାମଲାରେ ବାଂଲାଦେଶୀଙ୍କ ସମ୍ପୃକ୍ତି ଏହି ଅଭିଯୋଗକୁ ପ୍ରମାଣିତ କରିଛି । ରାଜସ୍ଵ ମନ୍ତ୍ରୀ କହିଛନ୍ତି ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।
ଦିନରେ ଶ୍ରମିକ ଓ ବ୍ୟବସାୟୀ । ଆଉ ରାତିରେ ସାଜୁଛନ୍ତି ଅପରାଧୀ । ସରକାରଙ୍କ ଉଦାସୀନତା ଅନୁପ୍ରବେଶକୁ ଉତ୍ସାହିତ କରୁଥିବା ଅଭିଯୋଗ ହୋଇଛି ।