କାନପୁର ଟେଷ୍ଟ ମ୍ୟାଚରେ ବାଂଲାଦେଶୀ ଫ୍ୟାନ୍ସଙ୍କୁ ମାଡ ଅଭିଯୋଗ

କାନପୁର: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଜଣେ ବାଂଲାଦେଶ ପ୍ରଶଂସକଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଏହା ପରେ ତାଙ୍କୁ ଡାକ୍ତରଖାନା ନେବାକୁ ପଡିଥିଲା।
‘ରବି ଟାଇଗର’ ନାମରେ ଜଣାଶୁଣା ଏହି ବ୍ୟକ୍ତି ବାଂଲାଦେଶ କ୍ରିକେଟ୍ ଦଳର ଜଣେ ବଡ ପ୍ରଶଂସକ। ସେ ନିଜ ଦଳକୁ ସମର୍ଥନ କରିବା ପାଇଁ ପ୍ରତ୍ୟେକ ମ୍ୟାଚରେ ସେ ପହଞ୍ଚି ଯାଆନ୍ତି । ରିପୋର୍ଟ ଅନୁଯାୟୀ, କାନପୁରରେ ସେ ବାଂଲାଦେଶୀ ଟିମର ପତାକା ଉଡାଇବା ସହ ତାଙ୍କ ଦଳକୁ ସମର୍ଥନ କରିବା ପାଇଁ ସ୍ଲୋଗାନ ଦେଉଥିଲେ। ଏହାପରେ କିଛି ସ୍ଥାନୀୟ ପ୍ରଶଂସକଙ୍କ ସହ ତାଙ୍କୁ ସଂଘର୍ଷ କରିବାକୁ ପଡିଥିଲା ।
ଏହି ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା । ଆକ୍ରମଣରେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ସୁରକ୍ଷାକର୍ମୀମାନେ ତୁରନ୍ତ ଏ ବିଷୟରେ ଜାଣି ତାଙ୍କୁ ଡାକ୍ତରଖାନା ନେଇଥିଲେ।
ରିପୋର୍ଟ ଅନୁସାରେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ବାଂଲାଦେଶୀ ପ୍ରଶଂସକ ଏବଂ ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ବାଂଲାଦେଶର ଏହି ପ୍ରଶଂସକ ଗ୍ରୀନ୍ ପାର୍କ ଷ୍ଟାଡିୟମର ବାଲକୋନିରେ ବସିଥିଲେ ଏବଂ ତାଙ୍କ ଦଳକୁ ସମର୍ଥନ କରି ସ୍ଲୋଗାନ ମଧ୍ୟ ଦେଇଥିଲେ।
ଏହାପରେ ତଳ ଆସନରେ ବସିଥିବା କିଛି ସ୍ଥାନୀୟ ପ୍ରଶଂସକଙ୍କ ସହ ତାଙ୍କର ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହା ପରେ ସେମାନେ ତାଙ୍କୁ ମାଡ ମାରିଥିଲେ । ଡାକ୍ତରଖାନା ନିଆଯାଉଥିବା ବେଳେ ବାଂଲାଦେଶୀ ପ୍ରଶଂସକ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ଅଣ୍ଟା ଓ ପେଟରେ ଆକ୍ରମଣ ହୋଇଛି।
ଗ୍ରୀନ୍ ପାର୍କ ଷ୍ଟାଡିୟମ୍ କର୍ତ୍ତୃପକ୍ଷ କହିଛନ୍ତି ଯେ ବାଂଲାଦେଶୀ ପ୍ରଶଂସକଙ୍କ ଆକ୍ରମଣ ଅଭିଯୋଗକୁ ନିଶ୍ଚିତ କରିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ। ଏଥିସହ ଏହି ଘଟଣାର ଗଭୀର ଅନୁସନ୍ଧାନ କରାଯିବ।