ବାଂଲାଦେଶୀ ସଙ୍କଟ: ତଟ ସୁରକ୍ଷା ନାଁରେ ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳରେ ଚାଲିଛି ପ୍ରହସନ

କେନ୍ଦ୍ରାପଡ଼ା: ଜଳୁଛି ବାଂଲାଦେଶ, ଓଡ଼ିଶାରେ ହାଇଆଲର୍ଟ । ସୀମାରେ ଅନୁପ୍ରବେଶକାରୀଙ୍କ ଉପରେ କଡ଼ା ନଜର ରଖିବାକୁ ସମସ୍ତ ସାମୁଦ୍ରିକ ଥାନାକୁ ଦିଆଯାଇଛି ନିର୍ଦ୍ଦେଶ । ହେଲେ କେନ୍ଦ୍ରାପଡ଼ା ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳରେ ତଟ ସୁରକ୍ଷା ନାଁରେ ଚାଲିଛି ପ୍ରହସନ । ନା ପୋଟ୍ରୋଲିଂ କରାଯାଉଛି ନା ଚେକିଂ। ରାତ୍ରିର ଅନ୍ଧକାରରେ ମେରାଇନ ପୋଲିସ କେତେ ସଜାଗ ରହିଛି ଗ୍ରାଉଣ୍ଡରେ ସ୍ଥିତି ପରଖିଛି ନନ୍ଦିଘୋଷ ଟିଭି ।

ଗତ ରାତିରେ ଭଦ୍ରକ କାରନାଳିରୁ ଯାତ୍ରୀଙ୍କୁ ନେଇ ମାଆ ମଙ୍ଗଳା ବୋଟ ପହଞ୍ଚିଥିଲା ତାଳଚୁଆ ଫେରି ଘାଟରେ । ବୋଟରେ ଥିଲେ ୫୦ରୁ ଅଧିକ ଯାତ୍ରୀ । କିନ୍ତୁ କାହାରି ଚେକିଂ ହୋଇ ନଥିଲା । ପୋଲିସର ତ ଦେଖା ନଥିଲା, ଚେକିଂ କରିବ କିଏ । ବୋଟ ଡ୍ରାଇଭର ନିଶାରେ ଚୁର । ଭରା ନଦୀରେ ଯାତ୍ରୀଙ୍କ ଜୀବନ ବାଜିରେ ଲାଗିଥିଲା ।

ରାତିରେ ବି ପୋଲିସର ପାଟ୍ରୋଲିଂ ଦେଖିବାକୁ ମିଳି ନଥିଲା । ତାଳଚୁଆ ବଜାରର ସବୁଆଡେ ଶୁନଶାନ୍ । ତାଳଚୁଆ ସାମୁଦ୍ରିକ ଥାନା ଗେଟ୍ ବନ୍ଦ ଥିବା ଆମ କ୍ୟାମେରା ଲେନ୍ସରେ କଏଦ ହୋଇଥିଲା । ଏପରି ସ୍ଥିତିରେ ରାଜ୍ଯର ଉପକୂଳ କେତେ ସୁରକ୍ଷିତ, ତାକୁ ନେଇ ପ୍ରଶ୍ନ ଉଠିଛି ।

କେନ୍ଦ୍ରାପଡ଼ା ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳରେ ପ୍ରାୟ ୯୦ ପ୍ରତିଶତ ବଙ୍ଗୀୟ ଭାଷାଭାଷୀ ଲୋକ ଅଛନ୍ତି । ଅନେକ ବାଂଲାଦେଶୀ ଶରଣାର୍ଥୀ ବି ଅଛନ୍ତି । ପ୍ରତ୍ଯେକ ଦିନ ଏହି ଅଞ୍ଚଳରୁ ବହୁ ମାଛଧରା ଟ୍ରଲର ଓ ଯାତ୍ରୀବାହୀ ବୋଟ୍ ବାଣିଜ୍ଯ ପାଇଁ ପଶ୍ଚିମବଙ୍ଗ, ବାଂଲାଦେଶକୁ ଯାଇଥାନ୍ତି । ସମୁଦ୍ର ମଧ୍ୟରେ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଥିଲେ ମଧ୍ୟ ତଟ ସୁରକ୍ଷା ଏବେ ପ୍ରହସନ ପାଲଟିଛି । ସମୁଦ୍ର ମଧ୍ୟରେ ପଇଁତରା ମାରିବା ପାଇଁ ନା ଅଛନ୍ତି ଆବଶ୍ୟକ ପରିମାଣରେ ପୋଲିସ୍ କର୍ମଚାରୀ ନା ଅଛି ପାଟ୍ରୋଲିଂ ବୋଟ୍ । ସରକାରଙ୍କ ହାଇ ଆଲର୍ଟ ତାଳଚୁଆ ସାମୁଦ୍ରିକ ଥାନା ପାଇଁ ନାମକୁ ମାତ୍ର । ଏପରି ସମ୍ବେଦନଶୀଳ ପରିସ୍ଥିତିରେ ସୁରକ୍ଷା ଲୋଡିଛନ୍ତି ସ୍ଥାନୀୟ ଲୋକ ।