ବାଂଲାଦେଶରେ ପୁଣି ଇସ୍କନ ବିରୋଧୀ ପଦକ୍ଷେପ, ଭାରତ ପ୍ରବେଶ ଲାଗି ଇସ୍କନ ସଦସ୍ୟଙ୍କୁ ମିଳିଲାନି ଅନୁମତି

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶ ସରକାରଙ୍କ ପୁଣି ଇସ୍କନ ବିରୋଧୀ ପଦକ୍ଷେପ। ଭାରତ ପ୍ରବେଶ ଲାଗି ଚାହୁଁଥିବା ୫୪ଜଣ ଇସ୍କନ ସଦସ୍ୟଙ୍କୁ ଦେଲେନି ଅନୁମତି। ଇସ୍କନର ଏହି ସଦସ୍ଯମାନେ ବେଣାପୋଲ ସୀମା ଚେକ ପଏଣ୍ଟ ଦେଇ ଭାରତରେ ପ୍ରବେଶ ଲାଗି ଚାହୁଁଥିବା ସତ୍ତ୍ବେ ସେମାନଙ୍କୁ ପ୍ରବେଶ ଅନୁମତି ଦିଆଯାଇନାହିଁ। ସେମାନଙ୍କ ନିକଟରେ ବୈଧ ନଥିପତ୍ର ଥିଲେ ବି ବାଂଲାଦେଶ ଇମିଗ୍ରେସନ ପୋଲିସ ଏହି ପଦକ୍ଷେପ ନେଇଛି। ସୀମା ପାର୍ ହେବା ଲାଗି ୭୦ରୁ ଅଧିକ ଇସ୍କନ ସଦସ୍ଯ ଉଦ୍ଯମ କରୁଥିବା ସୂଚନା ମିଳିଛି।
ବେଣାପୋଲ ଇମିଗ୍ରେସନ ଚେକ ପଏଣ୍ଟ ଅଧିକାରୀ ଇମତିଆଜ ଅହସନୁଲ କହିଛନ୍ତି ଇସ୍କନ ଭକ୍ତଙ୍କୁ ପ୍ରବେଶ ନିମନ୍ତେ ସ୍ପେସାଲ ବ୍ରାଞ୍ଚ ପୋଲିସ ସହ ଯୋଗାଯୋଗ କରାଯାଇଥିଲା। ତେବେ ଅନୁମତି ନ ମିଳିବା କାରଣରୁ ସେମାନଙ୍କୁ ପ୍ରବେଶ ଅନୁମତି ଦିଆଯାଇ ନଥିଲା। କିଛିଦିନ ତଳେ ବାଂଲାଦେଶରେ ଇସକନକୁ ମିଳିଥିଲା ବଡ଼ ଆଶ୍ବସ୍ତି। ଦେଶରେ ଇସକନ କାର୍ଯ୍ୟକଳାପ ଉପରେ ନିଷେଧାଦେଶ ଜାରି ଲାଗି ଅଗ୍ରାହ୍ୟ କରିଥିଲେ ବାଂଲାଦେଶ ହାଇକୋର୍ଟ।