ବାଂଲାଦେଶରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣି ପାରିବ କି ଅନ୍ତରୀଣ ସରକାର?

1 min read

ନନ୍ଦିଘୋଷ ବ୍ୟୁରୋ: ଅଶାନ୍ତ ଜର୍ଜରିତ ବାଂଲାଦେଶରେ ସରକାର ଗଠନ ପ୍ରକ୍ରିୟା। ତେବେ ଏହା ସତ୍ତ୍ବେ ଦେଶରେ ସ୍ଥିରତା ଆସିବ କି ନାହିଁ ତାହାକୁ ନେଇ ସସପେନସ। ସେପଟେ ଶେଖ ହସିନାଙ୍କ ଇସ୍ତଫା ପରେ ବି ଦେଶରେ ଥମୁନି ହିଂସା। ଆଶ୍ରୟ ନେବା ଲାଗି ବ୍ରିଟେନ ନିକଟରେ ହସିନା ଅନୁରୋଧ କରିଥିଲେ ବି ବିଭିନ୍ନ କାରଣରୁ ତାହା ସମ୍ଭବ ହୋଇପାରିନାହିଁ। ଭାରତରେ ଆଉ କିଛିଦିନ ରହିପାରନ୍ତି ହସିନା। ବିଭିନ୍ନ ସ୍ଥାନରେ ଇସ୍କନ ମନ୍ଦିରରେ ହୋଇଛି ଭଙ୍ଗାରୁଜା।

ବାଂଲାଦେଶରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣି ପାରିବ କି ଅନ୍ତରୀଣ ସରକାର? ବାଂଲାଦେଶରେ ଗଣହିଂସା ଘଟଣାରେ ସେନାର ରହିଛି କି ହାତ? ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇଥିବା ନେଇ ଘୋଷଣା କରିବାକୁ ସେନାମୁଖ୍ଯ ୱାକର ଉସ ଜମାନ କିଏ? ହସିନାଙ୍କୁ ହଟାଇବା ଲାଗି ମୁସଲିମ ମୌଳବାଦୀ କରିଥିଲେ କି ଯୋଜନା? ଏପରି କିଛି ପ୍ରସଙ୍ଗ ଏବେ ବାଂଲାଦେଶର ଭବିଷ୍ଯତ ନେଇ ଉଠାଇଛି ପ୍ରଶ୍ନ।

ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ଯ ଉପଦେଷ୍ଟା ହେବେ ନୋବେଲ ବିଜେତା ଡକ୍ଟର ମହମ୍ମଦ ୟୁନୁସ। ଦାରିଦ୍ର୍ଯ ବିରୋଧରେ ସଂଗ୍ରାମ କରି ନୋବେଲ ପୁରସ୍କାର ଲାଭ କରିଥିବା ୟୁନୁସଙ୍କ ବିରୋଧରେ ହସିନା ସରକାର ୧୯୦ରୁ ଅଧିକ ମାମଲା ରୁଜୁ କରିଥିଲେ। ଆନ୍ଦୋଳନକାରୀ ଏକ ଜେଲକୁ ଭାଙ୍ଗିଦେବାରୁ ସେଥିରେ ଥିବା ୫ଶହରୁ ଅଧିକ କଏଦୀ ଫେରାର ହୋଇଯାଇଛନ୍ତି।  ତେଣେ ବ୍ରିଟେନରେ ଶରଣ ନେବାକୁ ହସିନା ଚାହିଁଥିଲେ ବି ସେହି ଦେଶରୁ ସବୁଜ ସଙ୍କେତ ମିଳିନାହିଁ । ନିୟମ ଅନୁସାରେ ଶରଣାର୍ଥୀଙ୍କୁ ଆଶ୍ରୟ ମିଳିବ ନାହିଁ ବୋଲି କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟର୍ମର। କୌଣସି ଦେଶର ନାଗରିକଙ୍କୁ ତାଙ୍କ ଦେଶରେ ସୁରକ୍ଷା ଦିଆଯାଇଥାଏ ମାତ୍ର ଶରଣ କିମ୍ବା ଅସ୍ଥାୟୀ ଆଶ୍ରୟ ହେବା ଲାଗି ଆବେଦନକୁ ଗ୍ରହଣ କରାଯିବ ନାହିଁ ବୋଲି କହିଛି ବ୍ରିଟେନ।

ସମସ୍ତ ହିଂସାର ନିରପେକ୍ଷ, ସ୍ବଚ୍ଛ ତଦନ୍ତ କରାଯାଉ ବୋଲି କହିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ତେଣେ ଆମେରିକାର ଏକ କନସୁଲେଟ ଉପରେ ଆକ୍ରମଣ କରିଛନ୍ତି କିଛି ଆନ୍ଦୋଳନକାରୀ। ସେପଟେ ହସିନାଙ୍କ ଭିସାକୁ ରଦ୍ଦ କରିଛି ଆମେରିକା। ତାଙ୍କୁ ଗାଦିଚ୍ଯୁତ କରିବା ମୂଳରେ ପାଶ୍ଚାତ୍ଯ ରାଷ୍ଟ୍ରର ହାତ ଥିବା ନେଇ ଅଭିଯୋଗ ଥିଲା। ହସିନାଙ୍କ ଗାଦିଚ୍ଯୁତ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ନିର୍ବାସିତ ଲେଖିକା ତସଲିମା ନସରିନ। ସେ କହିଛନ୍ତି- ହସିନା ଯେପରି ମୌଳବାଦୀଙ୍କୁ ତୋଷଣ କରିବା ଲାଗି ତାଙ୍କୁ ଦେଶରେ ସୁରକ୍ଷା ଦେଇ ନଥିଲେ ଠିକ୍ ସେପରି ସେହି ମୌଳବାଦୀଙ୍କ ଶିକାର ହୋଇଛନ୍ତି ହସିନା। ତେଣ ହସିନାଙ୍କ ପୁଅ ସଜୀବ ୱାଜେଦ ଜୟ କହିଛନ୍ତି- ମା ହସିନା କିଛି ଭୁଲ୍ କରିନାହାନ୍ତି। ସେ ଉତ୍ତମ ଶାସକ ଥିଲେ।

ବାଂଲାଦେଶ ହିଂସା ମୂଳରେ ଆତଙ୍କୀ ସଂଗଠନ ଜମାଏତ-ଇ- ଇସଲାମି ବାଂଲାଦେଶର ଇସଲାମି ଛାତ୍ର ଶିବିର ବା ଆଇସିଏସର ହାତ ଥିବା ଜଣାପଡିଛି। ଏହି ସଂଗଠନ ପାକିସ୍ତାନୀ ଆଇଏସଆଇ ଆଦର୍ଶରେ ଅନୁପ୍ରାଣୀତ। କିଛିଦିନ ତଳେ ତାଙ୍କୁ ଗାଦିଚ୍ଯୁତ କରିବା ଲାଗି ଷଡଯନ୍ତ୍ର ରଚାଯାଇଥିବା ନେଇ କହିଥିଲେ ହସିନା। ସଂରକ୍ଷଣ ଆନ୍ଦୋଳନ ପଛରେ ଅସାମାଜିକ ଶକ୍ତି ଥିବା ନେଇ ଚର୍ଚ୍ଚା ଜୋର ଧରିଛି।ବାଂଲାଦେଶର ରାଜନୈତିକ ଇତିହାସ ରକ୍ତାକ୍ତ। ବାରମ୍ବାର ସାମରିକ ଶାସକଙ୍କ ଦ୍ବାରା ଗାଦିଚ୍ଯୁତ ହୋଇଛନ୍ତି ଗଣତାନ୍ତ୍ରିକ ସରକାର। ଶିକାର ହୋଇଛନ୍ତି ବହୁ ଶାସକ। ଦେଶକୁ ତାନାଶାହୀ ଆଡକୁ ନେବାକୁ ସେନା ନେଇଛି ବାରମ୍ବାର ପ୍ରମୁଖ ଭୂମିକା।