ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ କ୍ରମାଗତ ଭାବେ ଆକ୍ରମଣ କରାଯାଉଛି। ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଗଠିତ ନୂତନ ମଧ୍ୟବର୍ତ୍ତୀକାଳୀନ ସରକାର ଏହି ଆକ୍ରମଣକୁ ରୋକିବାରେ ଅସଫଳ ହୋଇଛନ୍ତି। କିନ୍ତୁ ଏହି ସରକାର ଭାରତକୁ ଧମକ ଦେବାକୁ ପଛାଉ ନାହାଁନ୍ତି। ନିକଟରେ ଝାଡଖଣ୍ଡର ବୋକରୋଠାରେ ଏକ ରାଲିରେ ସମ୍ବୋଧିତ କରିବାବେଳେ ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ଏଠାରେ ଅନୁପ୍ରବେଶକାରୀଙ୍କ ପାଇଁ ସ୍ଥାନ ନାହିଁ। ଆମ ସରକାର ଆସିବା ପରେ ସେମାନଙ୍କଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆମେ ସମସ୍ତଙ୍କୁ ତାଙ୍କ ସ୍ଥାନକୁ ଫେରାଇଦେବୁ । ଶାହାଙ୍କର ଏହି ବୟାନରେ ରାଗରେ ଜରଜର ହେଉଛି ବାଂଲାଦେଶ ସରକାର।
ଏହାକୁ ବିରୋଧ କରି ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ଢାକାରେ ଭାରତୀୟ ଡେପୁଟି ହାଇ କମିଶନରଙ୍କୁ ଏକ ପ୍ରତିବାଦ ପତ୍ର ଲେଖିଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ଭାରତୀୟ ନେତାମାନେ ବାଂଲାଦେଶୀମାନଙ୍କ ବିଷୟରେ “ ଏଭଳି ଆପତ୍ତିଜନକ ମନ୍ତବ୍ୟ ଗ୍ରହଣୀୟ ନୁହେଁ” ସେମାନେ ଏଭଳି ମନ୍ତବ୍ୟ ଦେବା ଠାରୁ ଦୂରେଇ ରହିବା ଉଚିତ୍।
ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ସୋମବାର ଭାରତୀୟ ଡେପୁଟି ହାଇ କମିଶନରଙ୍କ ନିକଟକୁ ଏହି ପତ୍ର ଲେଖିଛନ୍ତି । ୟୁନୁସଙ୍କ ସରକାର ଜୋର ଦେଇଛି ଯେ ପଡୋଶୀ ଦେଶର ନାଗରିକଙ୍କ ବିରୋଧରେ ଦାୟିତ୍ବପୂର୍ଣ୍ଣ ପଦବୀରେ ବସିଥିବା ବ୍ୟକ୍ତିଙ୍କ ମୁଖରୁ ଆସିଥିବା ଏଭଳି ମନ୍ତବ୍ୟ ଦୁଇ ବନ୍ଧୁ ଦେଶ ମଧ୍ୟରେ ପାରସ୍ପରିକ ସମ୍ମାନ ଏବଂ ବୁଝାମଣାକୁ ଦୁର୍ବଳ କରିଥାଏ। ଆମେ ଏହାକୁ ଏଡ଼ାଇବା ଉଚିତ୍ । ହେଲେ ଏପର୍ଯ୍ୟନ୍ତ ଭାରତ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଅମିତ ଶାହା ଶୁକ୍ରବାର ନିର୍ବାଚନ ପ୍ରଚାର ପାଇଁ ଝାଡଖଣ୍ଡ ଗସ୍ତରେ ଥିଲେ। ସେ ଭୋଟବ୍ୟାଙ୍କ ରାଜନୀତି ପାଇଁ ଜେଏମ୍ଏମ୍ ନେତୃତ୍ୱାଧୀନ ମିଳିତ ସରକାର ବେଆଇନ ଅନୁପ୍ରବେଶକୁ ପ୍ରୋତ୍ସାହିତ କରୁଥିବା ଆରୋପ ଲଗାଇଥିଲେ । ଯଦି ଏହା ବନ୍ଦ ନହୁଏ ତେବେ ଆସନ୍ତା ୨୫-୩୦ବର୍ଷ ମଧ୍ୟରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ବୋକାରୋରେ ଶାହା ଏହା ମଧ୍ୟ କହିଥିଲେ, ‘ରାଜ୍ୟରେ ଅନୁପ୍ରବେଶକାରୀଙ୍କ ପାଇଁ ସ୍ଥାନ ନାହିଁ। ସେମାନେ ଆମ ଝିଅମାନଙ୍କୁ ବିବାହ କରୁଛନ୍ତି, ଜମି ଅକ୍ତିଆର କରୁଛନ୍ତି ଏବଂ ସମୃଦ୍ଧ ଆଦିବାସୀ ସଂସ୍କୃତି ଏବଂ ଐତିହ୍ୟକୁ ନଷ୍ଟ କରୁଛନ୍ତି । ଆମ ସରକାର ଆସିବା ପରେ ଆମେ ପ୍ରତ୍ୟେକଙ୍କୁ ବାହାର କରିଦେବୁ ।
ଅମିତ ଶାହା ଦାବି କରିଛନ୍ତି ଯେ ଅନୁପ୍ରବେଶକାରୀଙ୍କ ହେତୁ ସନ୍ଥାଲ ପରଗାନା ଆଦିବାସୀଙ୍କ ସଂଖ୍ୟା ୪୪%ରୁ ୨୮% କୁ ହ୍ରାସ ପାଇଛି। ସାହିବଗଞ୍ଜ ଜିଲ୍ଲାର ୧୦୦୦ କୋଟି ଟଙ୍କାର ଖଣି ସ୍କାମ, ସେନା ଲ୍ୟାଣ୍ଡ ସ୍କାମ ଏବଂ ପେପର ଲିକ ସ୍କାମ ସମେତ ବର୍ତ୍ତମାନର ସରକାର ସମୟରେ ଘଟିଥିବା ଏହି ସ୍କାମ ବିଷୟରେ ସେ ଉଲ୍ଲେଖ କରିଥିଲେ ।

