ବାଂଲାଦେଶରେ ଆବାମୀ ଲିଗ୍ ଦଳକୁ ବ୍ୟାନ୍ କଲେ ସରକାର

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶ ରାଜନୀତିରେ ବଡ଼ ବିଡ଼ମ୍ଵନା। ଯେଉଁ ଦଳ ଏହି ଦେଶ ପ୍ରତିଷ୍ଠା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା, ପଶ୍ଚିମ ପାକିସ୍ତାନୀ ସୈନ୍ୟଙ୍କ ନିର୍ଯାତନା, ଗଣଦୁଷର୍ମ, ଗଣହତ୍ୟା, ନରସଂହାରରୁ ଲୋକଙ୍କୁ ରକ୍ଷା କରିଥିଲା, ସ୍ଵାଧୀନତାର ସ୍ଵାଦ ଦେଇଥିଲେ, ସେହି ଦଳକୁ ଏବେ ବ୍ୟାନ କରାଯାଇଛି। ବାଂଲାଦେଶର କାମଚଳା ସରକାର ଆବାମୀ ଲିଗ୍ ପାର୍ଟି ଉପରେ ନିଷେଧାଦେଶ ଜାରି କରିଛନ୍ତି। ଆବାମୀ ଲିଗ୍ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ମୁଜିବୁର ରେହମାନଙ୍କ ପାର୍ଟି, ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାର୍ଟି। ଆଣ୍ଟି ଟେରୋରିଷ୍ଟ ଆଇନ ବଳରେ ଏହି ଦଳକୁ ବ୍ୟାନ କରିଛନ୍ତି ମହମ୍ମଦ ୟୁନୁସଙ୍କ ସରକାର। ଗତ ବର୍ଷର ଛାତ୍ର ଆନ୍ଦୋଳନକୁ ଦମନ କରିବା ପାଇଁ ଶେଖ ହସିନା ସରକାର ଯେଉଁ ସବୁ ପଦକ୍ଷେପ ନେଇଥିଲେ, ତାକୁ ନେଇ ଏପରି ନିଷେଧାଦେଶ ଜାରି କରାଯାଇଛି। ଦେଶର ସୁରକ୍ଷା, ଯୁଦ୍ଧ ଅପରାଧକୁ ଆଳ କରି ଏପରି ପଦକ୍ଷେପ ନିଆଯାଇଛି। ହସିନା ସରକାର ବିରୋଧରେ ଗତ ବର୍ଷ ହୋଇଥିବା ଆନ୍ଦୋଳନରେ ୧୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ପଶ୍ଚିମ ପାକିସ୍ତାନୀ ଶାସକଙ୍କ ନିର୍ଯାତନାର ପ୍ରତିବାଦରେ ଆୱାମୀ ଲିଗ୍ ୨୩ ଜୁନ୍ ୧୯୪୯ରେ ଢାକାରେ ପ୍ରତିଷ୍ଠିତ ହୋଇଥିଲା। ସେତେବେଳେ ଏହାକୁ ‘ପୂର୍ବ ପାକିସ୍ତାନ ଆୱାମୀ ମୁସଲିମ୍ ଲିଗ୍’ କୁହାଯାଉଥିଲା।
ଏହା ମୁସଲିମ୍ ଲିଗ୍ ରୁ ଏକ ବିଚ୍ଛିନ୍ନ ଦଳ ଥିଲା। ତତ୍କାଳୀନ ପୂର୍ବ ପାକିସ୍ତାନରେ ବଙ୍ଗାଳୀ ଜନସଂଖ୍ୟା ପାଇଁ ଏକ ଧର୍ମନିରପେକ୍ଷ, ପ୍ରଗତିଶୀଳ ସ୍ୱର ଭାବରେ ଏହା ଉଭା ହୋଇଥିଲା । ଏହି ଦଳ ୧୯୫୨ ମସିହାର ଭାଷା ଆନ୍ଦୋଳନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଆଞ୍ଚଳିକ ପରିଚୟ ରାଜନୀତି ମାଧ୍ୟମରେ ଛାତ୍ର, ବୁଦ୍ଧିଜୀବୀ ଏବଂ ଗ୍ରାମାଞ୍ଚଳ ଭୋଟରଙ୍କ ମଧ୍ୟରେ ଏହି ଦଳ ବେଶ୍ ଲୋକପ୍ରିୟ ହୋଇଥିଲା। ୧୯୭୦ ନିର୍ବାଚନରେ ଆବାମୀ ଲିଗ୍ ମୁଜିବୁର ରହମାନଙ୍କ ନେତୃତ୍ୱରେ ପୂର୍ବ ପାକିସ୍ତାନର ମୋଟ ୧୬୨ ରୁ ୧୬୦ ଆସନ ଜିତିଥିଲା। କିନ୍ତୁ ପଶ୍ଚିମ ପାକିସ୍ତାନ କ୍ଷମତା ହସ୍ତାନ୍ତର କରିବାକୁ କଲା ନାହିଁ। ବରଂ ‘ଅପରେସନ୍ ସର୍ଚ୍ଚଲାଇଟ୍’ ନାମରେ ନିଷ୍ଠୁର ନିର୍ଯାତନାର କାହାଣୀ ଆରମ୍ଭ ହେଲା। ରାଜନୈତିକ ଆଲୋଚନା ବିଫଳ ହେବା ପରେ, ୨୬ ମାର୍ଚ୍ଚ ୧୯୭୧ରେ, ବାଂଲାଦେଶ ସ୍ୱାଧୀନତା ଘୋଷଣା କଲା। ଆୱାମୀ ଲିଗ୍ ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେଇଥିଲା। ପରେ ଭାରତର ସହାୟତାରେ ଆବାମୀ ଲିଗ୍ ନେତୃତ୍ଵରେ ବାଂଲାଦେଶ ସ୍ଵାଧୀନତା ପାଇଥିଲା। ସେହି ଆବାମୀ ଲିଗ୍ କୁ ଆଜି ବାଂଲାଦେଶ ସରକାର ବ୍ୟାନ କରିଛନ୍ତି। …