କଲେଜ କୋଠା ଉପରେ ଖସି ପଡ଼ିଲା ଫାଇଟର ଜେଟ୍, ଏକାଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଆଶଙ୍କା
1 min read
ନନ୍ଦିଘୋଷ ବ୍ୟୁରୋ: ଢାକାରେ ବାଂଲାଦେଶ ଏୟାରଫୋର୍ସର F-7 ଫାଇଟର ଜେଟ୍ କ୍ରାସ୍ । ଉଡ଼ାଣ ଭରିବାର କିଛି ସମୟ ପରେ ଏକ କଲେଜ ଛାତ ଉପରେ ଖସି ପଡ଼ିଲା ଜେଟ୍ । ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ଘଟିଛି । ସେପଟେ କିଛି ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ବିମାନଟିକୁ ଚୀନ ବାଂଲାଦେଶ ଏୟାରଫଷାର୍ସ ପାଇଁ ନିର୍ମାଣ କରିଥିଲା ।
ବାଂଲାଦେଶ ଗଣମାଧ୍ୟମ ଅନୁସାରେ କ୍ରାସ ହୋଇଥିବା ବିମାନଟି ବାୟୁସେନାର F-7 ପ୍ରଶିକ୍ଷଣ ବିମାନ । ରିପୋର୍ଟ ଅନୁସାରେ ଅପରାହ୍ନ ୧.୦୬ ମିନିଟରେ ବିମାନଟି ଉଡାଣ ଭରିଥିଲା । ୨୪ ମିନିଟ ପରେ ୧.୩୦ ମିନିଟରେ ବିମାନଟି କ୍ରାସ୍ ହୋଇଯାଇଥିଲା । ହଜରତ ଶାହଜହାଜ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟର ଜଣେ ବରିଷ୍ଠ ଅଧିକାରୀ ପ୍ଲେନ କ୍ରାସର ପୃଷ୍ଟି କରିଛନ୍ତି ।
ମାଇଲଷ୍ଟୋନ କଲେଜ ଉପରେ ଖସିଲା ବିମାନ
ଫାଇଟର ଜେଟଟି ଢାକା ସ୍ଥିତ ମାଇଲଷ୍ଟାନ କଲେଜ ପରିସରରେ କ୍ରାସ୍ ହୋଇଛି । ଦୁର୍ଘଟଣା ସମୟରେ ପିଲାମାନେ ପାଠ ପଢୁଥିଲେ । ଏମିତି ସ୍ଥିତିରେ କିଛି ଛାତ୍ରଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ଆଶଙ୍କା କରାଯାଉଛି । ତେବେ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ସ୍ଥାନୀୟ ଲୋକଙ୍କ ଅନୁସାରେ ପ୍ଲେନ କ୍ରାସ୍ ପରେ ନିଆଁ ଲାଗି ଯାଇଥିଲା । ଅଗ୍ନିଶମ କର୍ମଚାରୀ ଏବଂ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଆହତ ଛାତ୍ରମାନଙ୍କୁ ରିକ୍ସା ଓ ଅନ୍ୟ ଗାଡ଼ିରେ ମେଡିକାଲ ପଠାଯାଇଥିଲା ।
ତିନି ମହଲା କୋଠାରେ ପିଟି ହେଲା ପ୍ଲେନ
ମାଇଲଷ୍ଟାନ କଲେଜର ଜଣେ ଅଧ୍ୟାପକ କହିଛନ୍ତି କଲେଜ ପରିସରରେ ନିର୍ମିତ ତିନି ମହଲା କୋଠାରେ ପ୍ଲେନଟି ଯାଇ ପିଟି ହୋଇଯାଇଥିଲା । ସେ ସମୟରେ କଲେଜ ପରିସରରେ ଥିବା ଅନ୍ୟ ଏକ ୧୦ ମହଲା କୋଠାରେ ସେ ଥାଇ ଏହା ଦେଖିଛନ୍ତି । ଏହାପରେ ଚାରିଆଡେ ଧାଁ ଦୌଡ଼ ଆରମ୍ଭ ହୋଇଯାଇଥିଲା । କଲେଜର ଶିକ୍ଷକ ଓ କର୍ମଚାରୀ ଫସି ଯାଇଥିବା ଛାତ୍ରଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଥିଲେ । କ୍ରାସର କିଛି ସମୟ ମଧ୍ୟରେ ସେନା ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । କିଛି ଛାତ୍ର ବହୁ ମାତ୍ରାରେ ଜଳି ଯାଇଥିବା ଅଧ୍ୟାପକ ଜଣଙ୍କ କହିଛନ୍ତି ।