ସେଣ୍ଟ୍ ମାର୍ଟିନ ଦ୍ୱୀପ ଉପରେ କ’ଣ ପାଇଁ ଆମେରିକାର ଆଖି ?

1 min read

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶ ବିଦ୍ରୋହ ପରେ ଶେଖ ହାସିନା ଭାରତରେ ଆଶ୍ରୟ ନେଇଛନ୍ତି । ଛାତ୍ର ଓ ବିରୋଧୀ ଦଳଙ୍କ ମିଳିତ ମେଣ୍ଟ ଆଗରେ ହାସିନ ଅସ୍ତ୍ରତ୍ୟାଗ କରି ଭାରତ ପଳାୟନ କରିଥିଲେ । ତେବେ ଭାରତ ଆସିବା ପରେ ଶେଖ ହାସିନା ବିଦ୍ରୋହ ପଛରେ ଆମେରିକାର ହାତ ଥିବା ଦାବି କରିଥିଲେ । ସେ କହିଥିଲେ ଯେ, ଆମେରିକା ବାଂଲାଦେଶର ସେଣ୍ଟ୍ ମାର୍ଟିନ୍ ଦ୍ୱୀପକୁ ତା’ର ସାମରିକ ଘାଟି ପାଇଁ ଚାହୁଁଥିଲା । ତେବେ ଏହି ଦ୍ୱୀପକୁ ହସ୍ତାନ୍ତର କରିବାକୁ ମନା କରିବାରୁ ତାଙ୍କ ବିରୋଧରେ ଆମେରିକା ଷଡ଼ଯନ୍ତ୍ର କରିଥିଲା । ଏମିତିରେ ମନକୁ ପ୍ରଶ୍ନ ଉଠିପାରେ ଯେ, କ’ଣ ପାଇଁ ଆମେରିକା ସେଣ୍ଟ୍ ମାର୍ଟିନ୍ ଦ୍ୱୀପକୁ ଏତେ ଆଗ୍ରହୀ ? ଆସନ୍ତୁ ଉତ୍ତର ଜାଣିବା ।

ସେଣ୍ଟ୍ ମାର୍ଟିନ୍ ଦ୍ୱୀପର ଇତିହାସ

ବଙ୍ଗୋପସାଗର ଉତ୍ତର-ପୂର୍ବ ଭାଗରେ ସେଣ୍ଟ୍ ମାର୍ଟିନ୍ ଦ୍ୱୀର ରହିଛି । ମାତ୍ର ତିନି ବର୍ଗ କିଲୋମିଟରର ଏହି ଦ୍ୱୀପ ଉପରେ ଆମେରିକାଠାରୁ ଚୀନ୍ ସମସ୍ତଙ୍କ ଆଖି ରହିଛି । କକ୍ସ ବଜାର-ଟ୍ୟାଙ୍କଫ ଉପଦ୍ୱୀପଠାରୁ ପ୍ରାୟ ୯ କିମି ଦୂରରେ ଥିବା ଏହି ଦ୍ୱୀପକୁ ମଧ୍ୟ ନାରିକେଳ ଓ ଡାଲଚିନ ଦ୍ୱୀପ ବୋଲି କୁହାଯାଏ । କାରଣ ଏହି ଦ୍ୱୀପରେ ପ୍ରଚୁର ପରିମାଣରେ ନଡ଼ିଆ ଓ ଡାଲଚିନ ଗଛ ଦେଖିବାକୁ ମିଳେ । ଏହା ବାଂଲାଦେଶର ଏକମାତ୍ର ପ୍ରବାଳ ଦ୍ୱୀପ । ଏହି ଦ୍ୱୀପର ଜନସଂଖ୍ୟା ପ୍ରାୟ ୩ ହଜାର ୭ଶହ । ଦ୍ୱୀପ ବାସିନ୍ଦାଙ୍କ ମୁଖ୍ୟ ଜୀବିକା ହେଉଛି ମାଛ ଧରିବା,ଧାନଚାଷ ଓ ନଡ଼ିଆ ଚାଷ । ଏଠାରୁ ଧାନ ଓ ନଡ଼ିଆ ମିଆଁମାରକୁ ରପ୍ତାନୀ ହୋଇଥାଏ । ଅଷ୍ଟାଦଶ ଶତାବ୍ଦୀରେ ଆରବ ବ୍ୟବସାୟୀ ମାନେ ଏହି ଦ୍ୱୀପରେ ଅଟକିବା ଆରମ୍ଭ କରିଥିଲେ । ସେବେଠାରୁ ଏଠାରେ ଲୋକ ରହିବା ଆରମ୍ଭ ହୋଇଥିଲା । ଆରବ ବ୍ୟବସାୟୀ ଏହାକୁ ‘ଜଜିରା’ ନାମ ଦେଇଥିଲେ । ୧୯୦୦ ମସିହାରେ ଏହାକୁ ବ୍ରିଟେନ ଭାରତରେ ସାମିଲ କରିଥିଲା । ଜଣେ ଖ୍ରୀଷ୍ଟିଆନ ପାଦ୍ରିଙ୍କ ନାମ ଅନୁସାରେ ଏହାର ନାମ ସେଣ୍ଟ୍ ମାର୍ଟିନ ହୋଇଥିଲା । ୧୯୭୪ ମସିହାର ବୁଝାମଣା ଅନୁସାରେ ମିଆଁମାର ଏହି ଦ୍ୱୀପ ଉପରୁ ନିଜ ଦାବି ଛାଡି ଦେଇଥିଲା ।

ସାମରିକ ମହତ୍ୱ

ବଙ୍ଗୋପସାଗର ମଧ୍ୟରେ ଏହି ଦ୍ୱୀପ ଏମିତି ସ୍ଥାନରେ ଅଛି ଯାହାର ସାମରିକ ଗୁରୁତ୍ୱ ଢେର ଅଧିକ । ଆମେରିକା ଏହି ଦ୍ୱୀପରେ ସାମରିକ ଘାଟି ସ୍ଥାପନ କରିବାକୁ ଚାହୁଁଛି ଯାହାଫଳରେ ଏହା ଚୀନ ଉପରେ ନଜର ରଖି ପାରିବ । ଏହି ଦ୍ୱୀପଠାରୁ ଚୀନ୍ ଓ ମିଆଁମାର ଭଳି ଦେଶର ଦୂରତା କମ । ଦ୍ୱୀପରେ ସାମରିକ ଘାଟି ଦ୍ୱାରା ଆମେରିକା ଚୀନକୁ ଚେକମେଟ୍ କରିବାକୁ ଚାହୁଁଛି । ୨୦୨୩ରେ ଶେଖ ହାସିନା ଆମେରିକା ବିରୋଧରେ ସେଣ୍ଟ୍ ମାର୍ଟିନକୁ ନେଇ ଅଭିଯୋଗ ଆଣିଥିଲେ । ସେ ଅଭିଯୋଗ କରିଥିଲେ ଯେ, ଆମେରିକା ସେଠାରେ ଏକ ସାମରିକ ଘାଟି ସ୍ଥାପନ ପାଇଁ ବଂଲାଦେଶ ସରକାରଙ୍କ ଉପରେ ଚାପ ପକାଉଛି ।