ଟି-୨୦ ବିଶ୍ବକପ୍: ବାହାର ହେବ ପାକିସ୍ତାନ, ବାଂଲାଦେଶକୁ ମିଳିବ ସୁଯୋଗ
ନନ୍ଦିଘୋଷ ବ୍ୟୁରୋ: ୨୦୨୬ ଟି-୨୦ ବିଶ୍ବକପକୁ ନେଇ ଘଡି କେ ଘୋଡ଼ା ଛୁଟୁଛି । ଘଣ୍ଟା କେଇଟା ବିତୁନି ଆସୁଛି ନୂଆ ନୂଆ ଅପଡେଟ୍ । ବାଂଲାଦେଶ ବିଶ୍ବକପରୁ ବାହାର ହେବା ଓ ପାକିସ୍ତାନର ନଖରାମୀ ଖବରର ସିରୋନାମା ପାଲଟିଥିବା ବେଳେ ଆସିଛି ଏକ ବଡ଼ ଖବର । ଯଦି ଖବର ସତ ହୁଏ, ତେବେ ବାଂଲାଦେଶ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବରର୍ବାଦ ହେବାରୁ ଅଳ୍ପକେ ବଞ୍ଚିଯିବ । ଆଉ ତା’ଠାରୁ ବଡ଼ ଖବର ହେଲା ବାଂଲାଦେଶକୁ ଉସକାଇ ବିଶ୍ବକପକୁ ବିବାଦ ମଧ୍ୟକୁ ଟାଣି ନେଇଥିବା ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଚାଲିଯିବ । ଆଉ ଏଥର ଆଇସିସି ପିସିବିକୁ ଏମିତି ଚୋଟ ଦେବ, ଯାହା ପାକିସ୍ତାନକୁ ଦୁଃସ୍ବପ୍ନ ହୋଇ ପିଛା କରିବ ।
ମିଳିଥିବା ସୂଚନା ଅନୁସାରେ ବାଂଲାଦେଶ ବିବାଦକୁ ନେଇ ପାକିସ୍ତାନ ଶୁକ୍ରବାର ବଡ଼ ପଦକ୍ଷେପ ନେଇପାରେ । ପିସିବି ମୁଖ୍ୟ ମୋହସିନ ନକଓ୍ବି ପ୍ରଧାନମନ୍ତ୍ରୀ ଶେହେବାଜ ଶରିଫଙ୍କ ସହ ଏହାକୁ ନେଇ ଆଲୋଚନା କରିଛନ୍ତି । ଆଉ ଏଥିରେ ଭାରତ ବିପକ୍ଷରେ ମ୍ୟାଚ୍ ପାକିସ୍ତାନ ବୟକଟ କରିବାକୁ ଘୋଷଣା କରିପାରେ । ଯାହା ଶୁକ୍ରବାର ସ୍ପଷ୍ଟ ହୋଇଯିବ । ହେଲେ ଏବେ ଏମିତି ଶୁଣିବାକୁ ମିଳୁଛି ଯଦି ପାକିସ୍ତାନ ଟିମ୍ ଭାରତ ବିପକ୍ଷ ମ୍ୟାଚ୍ ବୟକଟ କରେ ତେବେ ଆଇସିସି ବଡ଼ ପଦକ୍ଷେପ ନେବାକୁ ଯୋଜନା କରୁଛି । ଟି-୨୦ ବିଶ୍ବକପରୁ ପାକିସ୍ତାନକୁ ବାହାର କରିବା ସହ ଆଇସିସି ପୁଣି ଥରେ ବାଂଲାଦେଶକୁ ସୁଯୋଗ ଦେବାକୁ ଯୋଜନା କରିଛି ।
ପାକିସ୍ତାନ ସ୍ଥାନରେ ଖେଳିବ ବାଂଲାଦେଶ
ମିଡିଆ ରିପୋର୍ଟ ଅନୁସାରେ, ପାକିସ୍ତାନର କୁଚକ୍ରି ନୀତିକୁ କାଟ ଦେବାକୁ ଆଇସିସି ପାକିସ୍ତାନକୁ ହଟାଇ ତା’ ସ୍ଥାନରେ ଗ୍ରୁପ-ଏ ରେ ବାଂଲାଦେଶକୁ ସ୍ଥାନ ଦେଇପାରେ । ରିପୋର୍ଟ ଅନୁସାରେ, ଯଦି ପାକିସ୍ତାନ ମ୍ୟାଚ୍ ବୟକଟ କଲା ତେବେ ଗ୍ରୁପ-ଏ ରେ ତା’ ସ୍ଥାନରେ ବାଂଲାଦେଶକୁ ସୁଯୋଗ ଦିଆଯିବ । ଏହାସହ ବାଂଲାଦେଶର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ ।
ଭାରତ ସହ ମ୍ୟାଚ୍ ବୟକଟ କଲେ ପାକିସ୍ତାନର କ’ଣ ହେବ ?
ରିପୋର୍ଟ ଅନୁସାରେ, ପାକିସ୍ତାନ ପୂରା ଟୁର୍ଣ୍ଣାମେଣ୍ଟ ନୁହେଁ, ୧୫ ଫେବ୍ରୁଆରୀକୁ ଖେଳାଯିବାକୁ ଥିବା ଭାରତ ବିପକ୍ଷ ମ୍ୟାଚ୍ ବୟକଟ କରିବାକୁ ଯୋଜନା କରୁଛି । ହେଲେ ଏମିତି ହେବା ସହଜ ନୁହେଁ । କାରଣ, ପାକିସ୍ତାନକୁ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିପାରେ । ପାକିସ୍ତାନ ଟିମ ଉପରେ ଏକାଧିକ ପ୍ରତିବନ୍ଧକ ଲାଗିପାରେ । ଆଇସିସି ସହ ପାକିସ୍ତାନ କରିଥିବା ବୁଝାମଣାକୁ ଉଲ୍ଲଂଘନ ବୋଲି ବିବେଚନା କରାଯିବ । ଏପରି କି ଆଇସିସି ପାକିସ୍ତାନକୁ ବିଶ୍ବକପ୍ ଓ ଏସିଆ କପ ପରି ଟୁର୍ଣ୍ଣାମେଶ୍ଟରୁ ବାହାରର ରାସ୍ତା ଦେଖାଇ ପାରେ ।

