୧୦୫ ମୃତ୍ୟୁ ଓ ୨୫ଶହ ଆହତ ହେଲେଣି,ତଥାପି କାହିଁକି ବାଂଲାଦେଶକୁ ଫେରୁନି ଶାନ୍ତି ?

ଢାକା : ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ହିଂସକ ରୂପ ନେଇଛି । ହିଂସ୍ର ଆନ୍ଦୋଳନରେ ଗତ ୧୫ ଦିନ ଭିତରେ ୧୦୫ ଜଣଙ୍କ ମୃତ୍ୟୁ ଓ ୨୫ଶହରୁ ଅଧିକ ଆହତ ହୋଇଛନ୍ତି । ଏହାସତ୍ୱେ ସେଠାରେ ଆନ୍ଦୋଳନ ଥମିବାର ନାମ ନେଉ ନାହିଁ । ସେଠାକାର ଯୁବକ ନା ପୋଲିସ କଥା ଶୁଣୁଛନ୍ତି ନା ପ୍ରଶାସନକୁ ମାନୁଛନ୍ତି । ଖୋଦ ପ୍ରଧାନମନ୍ତ୍ରୀ ଶେଖ ହାସିନା ଟିଭିରେ ଦେଶକୁ ସମ୍ବୋଧିତ କରିଥିଲେ ମଧ୍ଯ ଏହାର ପ୍ରଭାବ ଆନ୍ଦୋଳନକାରୀଙ୍କ ଉପରେ ପଡ଼ିନାହିଁ । ଓଲଟା ଆନ୍ଦୋଳନ ଅଧିକ ଉଗ୍ର ହେବାରେ ଲାଗିଛି ।
୧୦୫ ମୃତ୍ୟୁ
ଗତ ୧୫ ଦିନ ମଧ୍ୟରେ ସଂରକ୍ଷଣ ବିରୋଧୀ ହିଂସାରେ ୧୦୫ ଜଣ ପ୍ରାଣ ହରାଇଲେଣି । ରିପୋର୍ଟ ଅନୁସାରେ ୨୫ଶହରୁ ଅଧିକ ପୋଲିସ ସହିତ ସଂଘର୍ଷରେ ଆହତ ହୋଇଛନ୍ତି । ଯେଉଁଥିରେ ଉଭୟ ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀ ରହିଛନ୍ତି । ବାଂଲାଦେଶ ବିଭିନ୍ନ ସହରରେ ସ୍ଥିତି ବେକାବୁ ହୋଇଯାଇଛି । ରାଜଧାନୀ ଢାକା ଆନ୍ଦୋଳନର କେନ୍ଦ୍ର ବିନ୍ଦୁ ପାଲଟିଛି । ଅନେକ ସହରରେ ସଂରକ୍ଷଣ ବିରୋଧୀ ହାତରେ ଲାଠି ଓ ପଥର ନେଇ ବୁଲୁଛନ୍ତି ।
ଆନ୍ଦୋଳନକାରୀ ବସ ଓ ସରକାରୀ ଅଫିସରେ ନିଆଁ ଲଗାଉଛନ୍ତି । ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଟିଭି ସମ୍ବୋଧନ ପରେ ଆନ୍ଦୋଳନକାରୀ ସରକାରୀ ଟେଲିଭିଜନ ଅଫିସ ଉପରେ ଆକ୍ରମଣ କରି ସେଥିରେ ନିଆଁ ଲଗାଇ ଦେଇଥିଲେ । ନିଆଁ ଲଗାଇବା ବେଳେ ଅଫିସରେ ୧୨ଶହ କର୍ମଚାରୀ ଥିଲେ । ପୋଲିସ କୌଣସିମତେ ସେମାନଙ୍କୁ ନିଆଁ ଭିତରୁ ଉଦ୍ଧାର କରିଥିଲା ।
କ’ଣ ପାଇଁ ହେଉଛି ବିରୋଧୀ ?
ବିରୋଧ ପଛରେ ଅଛି ସରକାରୀ ଚାକିରିରେ ବାଂଲାଦେଶ ସ୍ୱାଧିନତା ସଂଗ୍ରାମୀଙ୍କ ସନ୍ତାନଙ୍କୁ ସଂରକ୍ଷଣ ସୁବିଧା ପ୍ରଦାନ । ସରକାର ୧୯୭୧ ମୁକ୍ତିଯୁଦ୍ଧରେ ସାମିଲ ଥିବା ସଂଗ୍ରାମୀଙ୍କ ସନ୍ତାନମାନଙ୍କ ପାଇଁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ସୁବିଧା କଥା ଘୋଷଣା କରିଥିଲେ । ଯାହାକୁ ସେଠାରେ ବିରୋଧ କରାଯାଉଛି । ସଂରକ୍ଷଣ ବିରୋଧୀ ଚାକିରିରେ ମରିଟ୍ ଆଧାରରେ ସୁଯୋଗ ଦେବାକୁ ଦାବି କରୁଛନ୍ତି । ସୂଚନାଯୋଗ୍ୟ ଯେ, ବାଂଲାଦେଶରେ ସରକାରୀ ଚାକିରିରେ ୫୬ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ବାକି ୪୪ ପ୍ରତିଶତ ଚାକିରି ମେରିଟ୍ ଆଧାରରେ ମିଳିଥାଏ । ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କୁ ସରକାରୀ ଚାକିରି କ୍ଷେତ୍ରରେ କୌଣସି ସଂରକ୍ଷଣ ସୁବିଧା ମିଳିନଥାଏ ।