ନନ୍ଦିଘୋଷ ଟିଭି ପ୍ରଭାବ: ଟଙ୍କା ବାଣ୍ଟୁଥିବା ପ୍ରାର୍ଥୀଙ୍କ ନାଁରେ ଏତଲା

ବଲାଙ୍ଗୀର: ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ପ୍ରଶାସନ ନେଲା କାର୍ଯ୍ୟାନୁଷ୍ଠାନ  । ବଲାଙ୍ଗୀର ଠେମେରା ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ବାଗ ପ୍ରଚାର ବେଳେ ଟଙ୍କା ବାଣ୍ଟିବା ଘଟଣା ପ୍ରଥମେ ନନ୍ଦିଘୋଷ ଟିଭିରେ ପ୍ରସାର କରାଯାଇଥିଲା  । ଏନେଇ ଜିଲ୍ଲା ପ୍ରଶାସନ ଉକ୍ତ ପ୍ରାର୍ଥୀଙ୍କ ବିରୋଧରେ ଏତଲା ଦେଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସିନ୍ଧେକେଲା ଥାନାରେ ଏତଲା ଦିଆଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏତଲା ଦେଇଛନ୍ତି ବଙ୍ଗୋମୁଣ୍ଡା ବିଡିଓ ରିପୁନାଥ ସୁନା ।

ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟକୁ ଜିଲ୍ଲା ପ୍ରଶାସନ ତଦନ୍ତ ରିପୋର୍ଟ ପଠାଇଛି। ବରକାନୀ ଗାଁକୁ ନିର୍ବାଚନ ପ୍ରଚାରରେ ଯାଇ ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ବାଗ୍‌ ଖୁଲମଖୁଲା ଟଙ୍କା ବାଣ୍ଟିବା ଭିଡ଼ିଓ ଭାଇରାଲ ହୋଇଥିଲା। ତେବେ ତଦନ୍ତ ଦାୟିତ୍ୱରେ ଥିବା ବଙ୍ଗୋମୁଣ୍ଡା ତହସିଲଦାର ଏକପାଖିଆ ତଦନ୍ତ କରି ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଘଟଣାଟି ଲକ୍ଷ୍ମୀପୂଜା ବେଳର କହି ଲକ୍ଷ୍ମୀକାନ୍ତଙ୍କୁ କ୍ଲିନ୍ ଚି୍ଟ ଦେଇଥିଲେ ତହସିଲଦାର। ଏହାପରେ ଏକପାଖିଆ ତଦନ୍ତ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ  ଗ୍ରାମବାସୀ  ।

ଏହାପରେ ତଦନ୍ତ ଦାୟିତ୍ୱରୁ ବାଦ ପଡିଥିଲେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ। ତାଙ୍କ ସ୍ଥାନରେ ଟିଟିଲାଗଡ଼ ଉପ ଜିଲ୍ଲାପାଳ ମନୋଜ ମହାଜନଙ୍କୁ ପୁନଃତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ପୋଲିସ ଉପସ୍ଥିତିରେ ଅଭିଯୋଗକାରୀ ଓ ଅନ୍ୟ ସରପଞ୍ଚ ପ୍ରାର୍ଥୀଙ୍କ ବୟାନ୍ ରେକର୍ଡ କରିଥିଲେ ଟିଟଲାଗଡ଼ ଉପଜିଲ୍ଲାପାଳ। ଏହାପରେ ସିନ୍ଧେକେଲା ଥାନାରେ ଏତଲା ଦେଇଛି ଜିଲ୍ଲା ପ୍ରଶାସନ ।

Leave a Reply