ପୁଅ ଝିଅଙ୍କୁ ହତ୍ୟା ପରେ ଦମ୍ପତିଙ୍କ ଆତ୍ମହତ୍ୟା !
ନନ୍ଦିଘୋଷ ବ୍ୟୁରୋ: ପ୍ରଥମେ ବିଷ ଦେଇ କୁନି କୁନି ପୁଅ ଝିଅଙ୍କୁ ହତ୍ୟା। ତା ପରେ ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ। ଗୋଟିଏ ପରିବାରର ୪ ଜଣଙ୍କ ସନ୍ଦେହଜନକ ମୃତ୍ୟୁ। ଏହି ଅଭାବନୀୟ ଘଟଣା ଘଟିଛି ବେଙ୍ଗଳୁରୁରେ। ମୃତକ ହେଲେ ୩୮ ବର୍ଷୀୟ ସଫଟୱେର ଇଂଜିନିୟର୍ ଅନୁପ କୁମାର, ତାଙ୍କ ପତ୍ନୀ ରାକ୍ଷୀ, ୫ ବର୍ଷର ଝିଅ ଅନୁପ୍ରିୟା ଓ ୨ ବର୍ଷର ପୁଅ ପ୍ରିୟାଂଶ। ଅନୁପଙ୍କ ନିଜ ଘର ଉତ୍ତର ପ୍ରଦେଶ ପ୍ରୟାଗରାଜରେ। ପୁଅ ଝିଅ ଓ ସ୍ତ୍ରୀଙ୍କୁ ନେଇ ସେ ରହୁଥିଲେ ବେଙ୍ଗଳୁରୁରେ। ଘର କାମ କରିବାକୁ ଆଜି ସକାଳୁ ଚାକର ଆସିଥିଲା। କବାଟ ବାଡ଼େଇବା ସହିତ ବହୁତ ଥର ଫୋନ୍ କରିବା ପରେ କେହି ନ ଶୁଣିବାରୁ ଚାକର ଜଣକ ପଡ଼ୋଶୀଙ୍କୁ ଜଣାଇଥିଲେ। ଏହା ପରେ ପୋଲିସକୁ ଡକାଯାଇଥିଲା। ପୋଲିସ ଆସି ଘରେ ପ୍ରବେଶ କରିବା ପରେ ୪ଟି ଯାକ ମୃତ ଦେହ ଦେଖିଥିଲା। ସନ୍ଦେହ କରାଯାଉଛି, ଅନୁପ ଓ ତାଙ୍କ ସ୍ତ୍ରୀ ପ୍ରଥମେ ପୁଅ ଝିଅଙ୍କୁ ବିଷ ଦେବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଝିଅ ଅନୁପ୍ରିୟା ଭିନ୍ନକ୍ଷମ ଥିଲା। ତାର ଚିକିତ୍ସା ନେଇ ଟିକେ ଟେନସନ୍ ଥିଲା। ଚାକର କହିବା ଅନୁସାରେ ପୁରା ପରିବାର ଖୁସି ଥିଲେ। ଏପରିକି ପଣ୍ଡିଚେରୀ ବୁଲିବାକୁ ଯୋଜନା କରିଥିଲେ। ଗତକାଲି ପ୍ୟାକିଂ ବି କରିଥିଲେ। କିନ୍ତୁ ଆଜି ଦେଖିବା ବେଳକୁ ପରିବାରର ସମସ୍ତଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି। କିନ୍ତୁ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିବା ଜଣାପଡ଼ିଛି।