ଯୋଗାଯୋଗର ମାଧ୍ୟମ ବାଉଁଶ ପୋଲ

ଆନନ୍ଦପୁର: ବାଉଁଶ ପୋଲ ଦେଇ ଚାଲିଛି ଯାତାୟତ । ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ମୋଟର ସାଇକେଲ ଚାଳକ ଏହି ନାଳ ଉପର ଦେଇ ଯାଉଛନ୍ତି । ଅନ୍ୟଦିନ କଥା ଭିନ୍ନ, ହେଲେ ବର୍ଷାଦିନେ ନାଳ ଉପର ଦେଇ ଯିବା କାଠିକର ପାଠ । ୨ଟି ପଞ୍ଚାୟତର ୨ହଜାରରୁ ଅଧିକ ଲୋକ ନିର୍ଭର କରୁଛନ୍ତି । ସ୍ଥାୟୀ ପୋଲ ହୋନଥିବାରୁ ବାଉଁଶ ପୋଲ ଉପରେ ଯିବା ଆସିବା କରୁଛନ୍ତି ସ୍ଥାନୀୟ ଲୋକ ।
ବାଉଁଶ ପୋଲରେ ବିପଦପୂର୍ଣ୍ଣ ଯାତ୍ରା। ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ମୋଟର ସାଇକେଲ ଚାଳକ ସମସ୍ତେ ଏହି ରାସ୍ତାଦେଇ ଯିବା ଆସିବା କରୁଛନ୍ତି। ଆନନ୍ଦପୁର ବାଉଁଶଗଡରେ ଥିବା ଘାଗରାନାଳ ବାଉଁଶ ପୋଲ ସାଜିଛି ଲୋକଙ୍କ ମୁଖ୍ୟ ରାସ୍ତା । ନାଳ ଗୋଟିଏ ପାଖରେ ୨ଟି ପଞ୍ଚାୟତର ୨ହଜାରରୁ ଅଧିକ ଲୋକ ବାସ କରୁଛନ୍ତି । ଅନ୍ୟପଟରେ ରହିଛି ସ୍କୁଲ୍, ବଜାର,ମେଡିକାଲ ଭଳି ଆବଶ୍ୟକୀୟ ସଂସ୍ଥା । ନାଳ ଉପର ଦେଇ ଗଲେ,୫ କିଲୋମିଟର କମ୍ ରାସ୍ତା ପଡୁଥିବାରୁ ଲୋକମାନେ ଏହି ପୋଲ ଉପରେ ନିର୍ଭର କରୁଛନ୍ତି । ଟିକେ ଅସାବଧାନତା ସାଜିଲେ ଘଟିପାରେ ନିଶ୍ଚିତ ଦୂର୍ଘଟଣା । ବର୍ଷା ଦିନ ଆସିଲେ ପ୍ରତ୍ୟେକ ବର୍ଷ ଏଭଳି ପରିସ୍ଥିତି ଦେଖିବାକୁ ମିଳେ। ସ୍ଥାୟୀ ପୋଲ ନଥିବାରୁ ଯିବା ଆସିବାରେ ହନ୍ତସନ୍ତ ହେଉଛନ୍ତି ଲୋକେ। ଦୀର୍ଘ ଦିନ ତଳେ ସ୍ଥାୟୀ ପୋଲ ପାଇଁ ସର୍ଭେ ସରିଛି, ଅର୍ଥ ମଧ୍ୟ ବରାଦ ହୋଇଥିଲା, ହେଲେ ନିର୍ମାଣ ହୋଇପାରିନି ପୋଲ ।
ଶାଳବଶି ଓ ବାଉଁଶଗଡ ମଧ୍ୟରେ ରହିଛି ଘାଗରା ନାଳ। ଉଭୟ ପଞ୍ଚାୟତ ମଧ୍ଯରେ ଗମନା ଗମନ ପାଇଁ ପଞ୍ଚାୟତ ସ୍ତରରେ ଘାଗରା ନାଳ ପର୍ଯ୍ଯନ୍ତ ରାସ୍ତା ହୋଇଥିଲେ ମଧ୍ଯ ନାଳ ଉପର ପୋଲ ନଥିବାରୁ ବର୍ଷାଦିନେ ସମସ୍ୟା ଭୋଗୁଛନ୍ତି ଲୋକେ। ଏନେଇ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଜଣାଇବା ପରେ, ସେ କହିଛନ୍ତି ଯେ ପଞ୍ଚାୟତର ଅନ୍ୟପଟେ ଭଲ ରାସ୍ତା ରହିଛି । ହେଲେ ଲୋକଙ୍କ ଯିବା ଆସିବାରେ କମ୍ ରାସ୍ତା ପଡୁଥିବାରୁ ଏହି ପୋଲ ଉପରେ ନିର୍ଭର କରୁଛନ୍ତି । ସ୍ଥାୟୀ ପୋଲ ପାଇଁ ସର୍ଭେ ସରିଛି । ଖୁବ୍ ଶୀଘ୍ର ଏକ ଯୋଜନାରେ ଏଠାରେ ସ୍ଥାୟୀ ପୋଲ ନିର୍ମାଣ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ।