ମରଣଯନ୍ତା ପାଲଟିଛି ବାଲିଗୁଡ଼ା ଠାରୁ ସିନ୍ଧିଗୁଡ଼ା ପର୍ଯ୍ୟନ୍ତ ରାସ୍ତା

ନନ୍ଦିଘୋଷ ବ୍ୟୁରୋ: ୯ କୋଟି ଟଙ୍କା ବ୍ୟୟ ବରାଦରେ ଚାଲିଛି ରାଜ୍ୟ ରାଜପଥର ମରାମତି କାର୍ଯ୍ୟ । କିନ୍ତୁ ଠିକାଦାର ମନମୁଖୀ କାର୍ଯ୍ୟ ଚଳାଇଥିବା ବେଳେ କାର୍ଯ୍ୟର ତଦାରଖ କରୁନାହାନ୍ତି ଦାୟିତ୍ଵରେ ଥିବା ଯନ୍ତ୍ରୀ । ସେପଟେ ରାସ୍ତା କାମ ଚାଲୁଥିବା ନେଇ କୌଣସି ସୂଚନା ଫଳକ ଲଗାଯାଇନାହିଁ । ଫଳରେ ଭାରସାମ୍ଯ ହରାଇ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ଯୁ ଘଟିଥିବା ବେଳେ ଅନେକ ଆହତ ହେଲେଣି ।
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରୁ ବୌଦ୍ଧ ଜିଲ୍ଲା ସୀମାନ୍ତ ସିନ୍ଧିଗୁଡ଼ା ରାସ୍ତାର ଦୃଶ୍ୟ । ୯ କୋଟି ଟଙ୍କା ବ୍ୟୟରେ ଚାଲିଛି ଏହି ରାଜ୍ୟ ରାଜପଥର ମରାମତି କାର୍ଯ୍ୟ । ଗୋଟିଏ ପଟେ ନିମ୍ନ ମାନର କାର୍ଯ୍ୟ ଚାଲିଥିବା ବେଳେ ରାସ୍ତାରେ ଲାଗିନାହିଁ ସୂଚନା ଫଳକ । ଫଳରେ ସେହି ବାଟ ଦେଇ ଦୈନନ୍ଦିନ ଯିବା ଆସିବା କରୁଥିବା ଲୋକମାନେ ବାରମ୍ବାର ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଗତ କିଛିଦିନ ମଧ୍ୟରେ ବାରଖମା ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାରେ ପୁନିନାଟ ଗାଁର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏଥିସହିତ ଅନେକ ବାଇକ ଆରୋହୀ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସେପଟେ ଅଞ୍ଚଳବାସୀଙ୍କ ଯାତାୟତର ସୁବିଧା ପାଇଁ ଯଦି ରାସ୍ତାର ମରାମତି କରାଯାଉଛି ତେବେ ନିୟମ ଅନୁଯାୟୀ କାହିଁକି କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ ।
ରାଜ୍ଯ ରାଜପଥର ମରାମତି କାର୍ଯ୍ଯ ଠିକାଦାର ନିମ୍ନମାନର କରୁଥିବା ବେଳେ ଦାୟିତ୍ଵରେ ଥିବା ଯନ୍ତ୍ରୀ ଏହାର ଉପଯୁକ୍ତ ତଦାରଖ କରୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ସେପଟେ ରାସ୍ତା ମରାମତି କାର୍ଯ୍ୟ ଅଦ୍ୟାବଧି ଚାଲିଥିବା ବେଳେ ଦି ଦିନ ନଯାଉଣୁ ରାସ୍ତାର ଅନେକ ଜାଗାରୁ ପିଚୁ ଉଠିଗଲାଣି । ଏନେଇ ସମ୍ପୃକ୍ତ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କୁ ଅଞ୍ଚଳବାସୀ ଜଣାଇବା ସତ୍ବେ ଏଯାବତ୍ କିଛି ସୁଫଳ ମିଳିପାରିନାହିଁ । ଅନ୍ୟପଟେ ରାସ୍ତା କାମ ସଠିକ ଭାବେ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ସେପଟେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି , ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ଯାନ କରିବା ସାଙ୍ଗକୁ ନିୟମ ଅନୁଯାୟୀ ଠିକ୍ ଢଙ୍ଗରେ କାର୍ଯ୍ୟ କରିବା ପାଇଁ ଠିକାଦାରଙ୍କୁ ତାଗିଦ୍ କରିବି ।