ଲଗାଣ ବର୍ଷାରେ ଭୁଶୁଡ଼ିଲା ସ୍କୁଲ ଶ୍ରେଣୀ ଘର

ନନ୍ଦିଘୋଷ ବ୍ୟୁରୋ: ଲଗାଣ ବର୍ଷାରେ ଭୁଷୁଡ଼ିଲା ସ୍କୁଲ ଶ୍ରେଣୀ ଘର । ଏବେ ବିପଦ ସଂକୁଳ ଅବସ୍ଥାରେ ଥିବା ଅତିରିକ୍ତ ଶ୍ରେଣୀ ଗୃହରେ ଚାଲିଛି ପିଲାଙ୍କ ପାଠପଢା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅବସ୍ଥା । ବର୍ଷା କାରଣରୁ ଶ୍ରେଣୀ ଗୃହ ଭୁଶୁଡିପଡିଥିବାରୁ ବର୍ତ୍ତମାନ ଭଙ୍ଗା ଆଜବେଷ୍ଟସ ଘରେ ପାଠ ପଢୁଛନ୍ତି ୭୭ ଜଣ ଛାତ୍ରଛାତ୍ରୀ । ସ୍କୁଲର ଅବସ୍ଥା ଶୋଚନୀୟ ଥିବାରୁ ଏବେ ପିଲାଙ୍କୁ ବିଦ୍ଯାଳୟକୁ ଛାଡିବାକୁ ଅସୁରକ୍ଷିତ ମଣୁଛନ୍ତି ଅଭିଭାବକ । ପୂର୍ବରୁ ବିଦ୍ଯାଳୟର ଶ୍ରେଣୀ ଗୃହ ନିର୍ମାଣ ସହ ଆନୁଷଙ୍ଗିକ ସୁରକ୍ଷା ପ୍ରତି ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଓ ଗ୍ରାମବାସୀ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ହେଲେ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଭବିଷ୍ଯତକୁ ଗୁରୁତ୍ଵ ଦେଇ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ବିଦ୍ୟାଳୟର ଶ୍ରେଣୀଗୃହ ବର୍ଷାରେ ଭୁଷୁଡ଼ିବା ଖବର ମୁଁ ପାଇଛି, ଏନେଇ ମୁଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବି ବୋଲି କହିଛନ୍ତି ବାଲିଗୁଡ଼ା ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ।