ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣା, ୩ ଅଭିଯୁକ୍ତ ଗିରଫ

Baliguda Police Arrested Three In Skeleton Case

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ରେବିଙ୍ଗିଆ ତୁଲିପାଜୁ ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାରେ ପୋଲିସକୁ ସଫଳତା । ବନ୍ଧାହେଲେ ୩ ଅଭିଯୁକ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟିକୁନ ଗୌଡ଼ଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି । ଟିକୁନଙ୍କୁ ହତ୍ୟା ପରେ ଜଙ୍ଗଲରେ ପୋତି ଦେଇଥିଲେ ହତ୍ୟାକାରୀ ।

Baliguda Police Arrested Three In Skeleton Case

ତିନି ଅଭିଯୁକ୍ତ ମୃତକଙ୍କ ସମ୍ପର୍କୀୟ ପଡ଼ି ଗାଁର ଅଜୁ ବଗର୍ତ୍ତୀ, ବିପିନ ବଗର୍ତ୍ତୀ ଓ ଭଇରା ଗୌଡ଼ଙ୍କୁ ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଫେବ୍ରୁଆରୀ ୨୨ରେ ଏକ ଭୋଜିକୁ ଯାଇ ଟିକୁନ ଫେରିନଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କରି ଟିକୁନ ଗୌଡ଼ଙ୍କୁ ନପାଇ ମାର୍ଚ୍ଚ ୪ ତାରିଖରେ ବାଲିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ । ମାର୍ଚ୍ଚ ୨୪ ତାରିଖରେ ରେବିଙ୍ଗିଆ ଅଞ୍ଚଳର କିଛି ଲୋକ ତୁଲିପାଜୁ ଜଙ୍ଗଲକୁ ମହୁଲ ଗୋଟେଇବାକୁ ଯାଇଥିବା ବେଳେ ଦୁର୍ଗନ୍ଧ ନେଇ ଅଞ୍ଚଳବାସୀଙ୍କୁ ଜଣାଇଥିଲେ । ଏହାପରେ ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକେ ଏ ବିଷୟରେ ଖବର ପାଇ ପୋଲିସକୁ ଖବର ଦେଇଥିଲେ । ପରିବାର ଲୋକଙ୍କଠାରୁ ଖବର ପାଇ ମାର୍ଚ୍ଚ ୨୫ରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିବା ସହ ମାଟି ତଳୁ କଙ୍କାଳକୁ ଉଦ୍ଧାର କରିଥିଲା ପୋଲିସ ।

କଙ୍କାଳରେ ଥିବା ସାର୍ଟ, ଲୁଙ୍ଗି ଓ ଗାମୁଛାକୁ ଦେଖି ପରିବାର ଲୋକେ ଏହା ନିଖୋଜ ଟିକୁନ ଗୌଡ଼ର ବୋଲି ସ୍ପଷ୍ଟ କରିଥିଲେ । ଏହାପରେ ପୋଲିସ୍ ସନ୍ଧାନୀ କୁକୁର ଓ ସାଇଣ୍ଟଫିକ୍ ଟିମ୍ ସହାୟତାରେ ତଦନ୍ତକୁ ଯୋରଦାର୍ କିରିଥିଲା ଏବଂ ହତ୍ୟାକାଣ୍ଡରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ରମ୍ପା,ଗଇଁତି ଓ ଗୋଟିଏ କାଠକୁ ଜବତ କରାଯାଇଛି । ଆଜି ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି ।

Leave a Reply