ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ ହେବ ବାଲିଯାତ୍ରା

କଟକ: କଟକର ପ୍ରସିଦ୍ଧ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ କରାଯିବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ  ଅନୁଷ୍ଠିତ ହୋଇଯାଇଛି । ନଭେମ୍ବର ୮ରୁ ୧୬  ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ହେବା ନେଇ ସ୍ଥିର ହୋଇଛି ।

ଗୃହ ଓ ନଗର ଉନ୍ନୟନ, ପୂର୍ତ୍ତ, ଶକ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଆଦି ବିଭାଗ ମାଧ୍ୟମରେ ଯାତ୍ରାର ପ୍ରସ୍ତୁତି ପାଇଁ ୧୫ କୋଟି ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ଆକଳନ ଉପରେ ଆଲୋଚନା ହୋଇଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅଧିକ ସଂଖ୍ୟକ କଳାକାର ଓ ଶିଳ୍ପୀମାନଙ୍କୁ ସାମିଲ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଯାତ୍ରା ପଡିଆକୁ ରାସ୍ତା ସଂଯୋଗ, ଟ୍ରାଫିକ୍ ନିୟନ୍ତ୍ରଣ, ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ, ଷ୍ଟଲ୍ ପାଇଁ ସ୍ଥାନ ନିର୍ଦ୍ଧାରଣ, ବିଦ୍ୟୁତ ସଂଯୋଗ, ପରିମଳ, ସ୍ବାସ୍ଥ୍ୟ ସେବା ଓ  ଆଇନ୍ ଶୃଙ୍ଖଳା ଆଦି ଉପରେ ଗୁରୁତ୍ବ ଦିଆଯାଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରିବା ପାଇଁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଏନଜିଟିର ଗାଇଡ୍ ଲାଇନ୍ ଅନୁସାରେ ଯାତ୍ରାର ଆୟୋଜନ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଉତ୍ସବର ପରିଚାଳନା ଓ ଆର୍ଥିକ ବ୍ୟବସ୍ଥା  ସମ୍ବନ୍ଧିତ ବିଷୟ  ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।