ରୂପାନ୍ତରିତ ହେବ ବାଲେଶ୍ୱରର ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ବର ମନ୍ଦିର, ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

1 min read

ଭୁବନେଶ୍ୱର: ରୂପାନ୍ତରିତ ହେବ ବାଲେଶ୍ବରର ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ବର ମନ୍ଦିର । ମନ୍ଦିରର ନବକଳେବର ପାଇଁ ମାଷ୍ଟରପ୍ଲାନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ୧୫ କୋଟି ୫୮ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି । ଫାଇଭ-ଟି ଉପକ୍ରମରେ ସମଗ୍ର ପୀଠର ରୂପାନ୍ତରଣ କରାଯିବ । ମନ୍ଦିରର ଉନ୍ନତିକରଣ ସହିତ ପାରିପାର୍ଶ୍ବିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କରାଯିବ । ଗତ ଜୁନ୍ ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ ପଞ୍ଚଲିଙ୍ଗେଶ୍ବର ମନ୍ଦିର ପରିଦର୍ଶନ କରି ଏହାର ଉନ୍ନତିକରଣ ପାଇଁ ମନ୍ଦିରର ସେବାୟତ, ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରି ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମାଷ୍ଟରପ୍ଲାନ ଅନୁସାରେ ସଂପୂର୍ଣ୍ଣ ପ୍ରକଳ୍ପକୁ ୪ଟି ଜୋନ୍ରେ ବିଭକ୍ତ କରାଯାଇ ବିକଶିତ କରାଯିବ । ଏହି ୪ଟି ଜୋନ୍ ହେଲା – ବଡମ୍ବା ମନ୍ଦିର, ପଞ୍ଚଲିଙ୍ଗେଶ୍ବର ମନ୍ଦିର ଓ ଜଳପ୍ରପାତ ଅଞ୍ଚଳ, ସପିଂ କମ୍ପ୍ଲେକ୍ସ ଓ ପାର୍କ ଏବଂ ପାନ୍ଥଶାଳା ଅଞ୍ଚଳ । ଜୋନ୍-୧ ବଡମ୍ବା ମନ୍ଦିରରେ ଭକ୍ତମାନଙ୍କ ପାଇଁ ଅଧିକ ସୁବିଧା କରାଯାଇ ପଥର ପାହାଚ, ବେଞ୍ଚ, ଓ୍ବାଚ ଟାଓ୍ବାର, ବସିବା ସ୍ଥାନ, ଗ୍ରାନାଇଟର ଚଲାପଥ ଆଦି ବିକଶିତ କରାଯିବ। ଜୋନ୍-୨ରେ ପଞ୍ଚଲିଙ୍ଗେଶ୍ବର ମନ୍ଦିର ଓ ଜଳପ୍ରପାତ ଅଞ୍ଚଳର ବିକାଶ ହେବ । ପୁରା ମନ୍ଦିରର ବେସ ଏରିଆର ପୁନର୍ବିକାଶ ସହିତ ଗୁମ୍ଫା ଓ ଯଜ୍ଞ ମଣ୍ଡପକୁ ପ୍ରବେଶ ପଥ ନିର୍ମାଣ କରାଯିବ । ପୂଜାର୍ଚ୍ଚନା ସ୍ଥାନର ପରିବର୍ଦ୍ଧନ କରାଯାଇ ସୌନ୍ଦର୍ଯ୍ୟକରଣ କରାଯିବ। ଏହାଛଡା ଅତିରିକ୍ତ ଶୌଚାଳୟ ଓ ଚେଞ୍ଜିଂ ରୁମ ମଧ୍ୟ ନିର୍ମାଣ କରାଯିବ ।

ଜୋନ୍-୩ ରେ ସପିଂ କମ୍ପ୍ଲେକ୍ସ ନିର୍ମାଣ କରାଯିବ ଏବଂ ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ପାଇଁ ପାର୍କ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ । ସେହିପରି ଜୋନ୍-୪ ପାନ୍ଥଶାଳା ଅଞ୍ଚଳରେ ପାର୍କିଂ ତଥା ପିକ୍ନିକ୍ ପାଇଁ ପିଣ୍ଡିର ବ୍ୟବସ୍ଥା ମଧ୍ୟ କରାଯିବ । ଫୁଡକୋର୍ଟ, ଜଳକ୍ରୀଡା ଓ ପିଲାମାନଙ୍କ ଖେଳ ପାଇଁ ସୁବିଧା କରାଯିବ । ପଞ୍ଚଲିଙ୍ଗେଶ୍ବର ମନ୍ଦିର ରାଜ୍ୟର ଏକ ପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ । ଜଙ୍ଗଲ, ପାହାଡ, ଜଳପ୍ରପାତ ଆଦିର ମନୋରମ ପରିବେଶ ମନ୍ଦିର ପରିସରକୁ ଅଧିକ ଆକର୍ଷଣୀୟ କରି ଗଢିତୋଳିଛି । ପ୍ରତିଦିନ ବିଭିନ୍ନ ସ୍ଥାନରୁ ଶହ ଶହ ପର୍ଯ୍ୟଟକ ପୀଠକୁ ଆସି ଆଧ୍ୟାତ୍ମିକ ତଥା ମାନସିକ ଶାନ୍ତି ଲାଭ କରିଥାନ୍ତି । ପୀଠର ବିକାଶ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସଫଳ ହେବ ।