ବାଲେଶ୍ବର ସହରରେ ମାତିଛନ୍ତି ଅପରାଧୀ, କଥାକଥାରେ ବୁଲୁଛି ଖଣ୍ଡା

ବାଲେଶ୍ବର : ପୂଜା ପୂର୍ବରୁ ବିଗୁଡୁଛି ଆଇନଶୃଙ୍ଖଳା । କଥାକଥାକେ ବୁଲୁଛି ଖଣ୍ଡା । ଚିନ୍ତାରେ ବାଲେଶ୍ବରବାସୀ । ଶାନ୍ତି କମିଟି ବୈଠକରେ ଆଲୋଚନା କଲା ପ୍ରଶାସନ । କ୍ରାଇମ ଦମନ ପାଇଁ ଆକ୍ସନ ମୋଡରେ ପୋଲିସ୍ । ନିୟନ୍ତ୍ରଣକୁ ଆସୁନି ବାଲେଶ୍ବରର ଆଇନ ଶୃଙ୍ଖଳା । ଶ୍ରୀଜଙ୍ଗ ଓ ବସଷ୍ଟାଣ୍ଡ ଘଟଣାକୁ ୫ ଦିନ ନ ବିତୁଣୁ ପୁଣି ୪ଟି ସ୍ଥାନରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଚାନ୍ଦିପୁର ଥାନା ଅନ୍ତର୍ଗତ ନିଧିପଡ଼ା ଅଞ୍ଚଳରେ ଚିଙ୍ଗୁଡ଼ି ଜାଆଁଳା ଗାଡିକୁ କେନ୍ଦ୍ରକରି ହୋଇଛି ହଣାକଟା । ଦୁର୍ବୃତ୍ତଙ୍କ ଆକ୍ରମଣରେ ୩ ଗୁରୁତର, ବାଲେଶ୍ଵର ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ୬ ଦୃର୍ବୁତ୍ତ ଦୁଇଟି ବାଇକରେ ଆସି ସାହାଜୀପାଟଣା ଗାଁରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଆଗକୁ ରାମନବମୀ ଓ ଇଦ୍ ଆସୁଥିବାରୁ ଅପରାଧୀଙ୍କ ହଲ୍ଲାବୋଲ ସହରବାସୀଙ୍କୁ ଚିନ୍ତାରେ ପକାଇଛି ।
ଶାନ୍ତି ଶୃଙ୍ଖଳାର ସହ ଉତ୍ସବ ପାଳନ ପାଇଁ ଜିଲ୍ଲା ପ୍ରଶାସନ ଶାନ୍ତି କମିଟି ବୈଠକ ଡାକି ଆଲୋଚନା କରିଛି । ରାମନବମୀ, ଇଦ ଭଳି ପର୍ବରେ ଭାଇଚାରାକୁ ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ତେବେ ବିଗୁଡ଼ୁଥିବା ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି । ଖୁବଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଏସପି । ଉତ୍ସବ ପୂର୍ବରୁ ଗୁଇନ୍ଦା ବିଭାଗକୁ ସକ୍ରିୟ ରଖିବା ସହ ଅପରାଧୀଙ୍କ ଉପରେ ନଜର ରଖିବାକୁ ଦାବି କରିଛନ୍ତି ସହରବାସୀ ।