ବାଲେଶ୍ବରବାସୀଙ୍କ ଦୁଃଖ ସାଜିଛି ମହାନାଳ, ପ୍ରୋଟେକ୍ସନ ୱାଲ ନଥିବାରୁ ଘର ତଳୁ ଧୋଇ ନେଉଛି ମାଟି

ବାଲେଶ୍ବର : ବର୍ଷକ ପୂର୍ବରୁ ତିଆରି ହୋଇଥିଲା ଘର । ହେଲେ କାନ୍ଥ ଫାଟି ଆଁ କରିଛି । ତଳେ ଢଳେଇ ବି ଦୁଇଫାଳ । ଛାତରୁ କାନ୍ଥ ଅଲଗା ହେବାକୁ ବସିଲାଣି । କେତେବେଳେ ଯେ ମାଟିରେ ମିଶିଯିବ, ସେଇ ଚିନ୍ତାରେ ବାଲେଶ୍ବର ମ୍ୟୁନିସିପାଲିଟି ୨୪ ନମ୍ବର ଓ୍ବାର୍ଡ଼ ଓଲନ୍ଦାସାହିର ରାଧାକୃଷ୍ଣନଗର ବାସିନ୍ଦା । ସହରର ବନ୍ୟାଜଳ ଓ ବର୍ଜ୍ୟଜଳ ବୁଢାବଳଙ୍ଗ ନଦୀକୁ ନିସ୍କାସନ ପାଇଁ ରହିଛି ମହାନାଳ । ନାଳର ଦୁଇ ପାଖରେ ମାଟି ଧସିବାକୁ ଲାଗିଛି । ଫଳରେ ଘରର କାନ୍ଥ ମୂଳରୁ ମାଟି ନାଳରେ ଭାସି ଯାଉଛି । ଯେଉଁଥିପାଇଁ ଘରର କାନ୍ଥ ସହିତ ଚଟାଣ, ଛାତ ଫାଟି ଯାଉଛି । ରାଧାକୃଷ୍ଣନଗରର ୫୦ ରୁ ଅଧିକ ଘରେ ଏହି ସମସ୍ୟା । ଲୋକେ ପରିବାର ସହିତ ଏହି ଅଧାଭଙ୍ଗା ଘରେ ବିପଦପୂର୍ଣ୍ଣ ଅବସ୍ଥାରେ ରହୁଛନ୍ତି । ସମସ୍ୟା ସମ୍ପର୍କରେ ବାରମ୍ବାର ଗୁହାରି କରିଥିଲେ ସୁଦ୍ଧା ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ କରିଛନ୍ତି ଲୋକେ ।

ମ୍ୟୁନିସିପାଲିଟିରେ ୨୭ କିଲୋମିଟର ସହ ମୋଟ ୫ ଶହ କିଲୋମିଟର ନାଳ ରହିଛି । ସହଦେବଖୁଣ୍ଟା, ଗୁଡ଼ିପଦା, ଶୁଭାରମପୁର, ଦର୍ଜିପୋଖରୀ, ରାଜାବଗିଚା, ବାରବାଟୀ, କଂଗ୍ରେସ୍ ଅଫିସ ଗଳିରେ ଥିବା ମହାନାଳରେ ପ୍ରୋଟେକ୍ସନ ଓ୍ବାଲ, ସ୍ଲାବ୍, ବେଡ ନିର୍ମାଣ କରିବାକୁ ୫୦ କୋଟି ଟଙ୍କା ମଞ୍ଜୁର ହୋଇଛି । ସେହିପରି ଓଲନ୍ଦାସାହିର କଂକ୍ରିଟ୍ ମହାନାଳ ନିର୍ମାଣ କରିବାକୁ ୪୧ କୋଟି ୪୧ ଲକ୍ଷ ଟଙ୍କାର ଯୋଜନା ପ୍ରସ୍ତୁତ କରାଯାଇ ଉନ୍ନୟନ ବିଭାଗକୁ ମଞ୍ଜୁରୀ ପାଇଁ ପଠାଇ ଦିଆଯାଇଛି । କେବଳ ସେତିକି ନୁହେଁ । ମ୍ୟୁନିସିପାଲିଟିରେ ବିଭିନ୍ନ ଉନ୍ନୟନ ମୂଳକ କାମ, ସୌନ୍ଦର୍ଯ୍ୟ କରଣ, ପିଇବା ପାଣି, ଜଳ ନିସ୍କାସନ ଆଦି ପାଇଁ ୧୫୦ କୋଟି ଟଙ୍କାର ମାଷ୍ଟର ପ୍ଲାନ୍ ମଧ୍ୟ ମଞ୍ଜୁରୀ ପାଇଁ ବିଭାଗରେ ପଡ଼ି ରହିଛି । ରାଜ୍ୟ ସରକାର ଅନୁମୋଦନ କଲେ ଜନସାଧାରଣଙ୍କର ସମସ୍ୟାର ସ୍ଥାୟୀ ସମାଧାନ ହୋଇଯିବ ବୋଲି ବିଭାଗ କହିଛି । ପ୍ରଶାସନ ଓ ସରକାରୀ ଉଦାସୀନତାର ଫଳ ଭୋଗୁଛନ୍ତି ସହରବାସୀ