ବାଲେଶ୍ୱରରେ ଚକଡ଼ା ପୋକ ଆତଙ୍କ : ୨ଟି ବ୍ଳକ୍ରେ ସମ୍ପୂର୍ଣ୍ଣ ଉଜୁଡ଼ିବାକୁ ବସିଲାଣି ଅମଳ ଫସଲ
ନୀଳଗିରି: କ୍ଷେତରେ ଚକଡ଼ାପୋକକୁ ନେଇ ଚିନ୍ତାରେ ଚାଷୀ । ବାଲେଶ୍ୱର ଜିଲ୍ଲାରେ ରୋଗପୋକ ଯୋଗୁ ନଷ୍ଟ ହେଉଛି ଏକର ଏକର ଧାନ ଫସଲ । ଦୁଇଟି ବ୍ଲକରେ ସମ୍ପୂର୍ଣ୍ଣ ରୂପେ ଉଜୁଡିବାକୁ ବସିଲାଣି ଚାଷୀଙ୍କ କଷ୍ଟ ଉପାର୍ଜିତ ଫସଲ । ଯାହାକୁ ନେଇ ଚାଷୀଙ୍କ ଚିନ୍ତା ବଢିଯାଇଥିବା ବେଳେ ସହାୟତା ପାଇଁ ଦାବି କରିଛନ୍ତି ।
ଚାଷୀଙ୍କ ଚିନ୍ତା ବଢାଇଲେଣି ଚକଡ଼ା ପୋକ । ଅମଳ ସମୟରେ ଉଜୁଡିବାକୁ ବସିଲାଣି ଫସଲ । ନୀଳଗିରିରେ କିଆରି କିଆରି ଧାନ ଫସଲ ନଷ୍ଟ । ପ୍ରଥମେ ନିଅଣ୍ଟିଆ ବର୍ଷା, ପରେ ଧାନ ବିଲରେ ହାତୀ ଉପଦ୍ରବ, ଆଉ ଏବେ ଚକଡାପୋକ । ଫସଲ ଅମଳର ଠିକ୍ ପୂର୍ବରୁ ବାଲେଶ୍ୱର ଜିଲ୍ଲାରେ ଆତଙ୍କ ଖେଳାଇଛନ୍ତି ଚକଡା ପୋକ । ଜିଲ୍ଲାର ଦୁଇଟି ବ୍ଲକ୍ ତଥା ନୀଳଗିରି ଓ ଔପଦାରେ ରୋଗପୋକ ଯୋଗୁ ହେକ୍ଟର ହେକ୍ଟର ଫସଲ ନଷ୍ଟ ହୋଉଛି । ଥୋଡ଼ ଧାନ ମାଟିରେ ଲୋଟିପଡିଥିବା ବେଳେ ଗଛ ହଳଦିଆପଡି ଜଳିଯାଉଥିବା କହିଛନ୍ତି ଚାଷୀ ।
ନୀଳଗିରି ବ୍ଲକର ନରଣପୁର, ଅଯୋଧ୍ୟା ଓ ଔପଦା ବ୍ଲକର ଜୁରିଆପାଟଣା, ଦ୍ବାରିକା, ସନ୍ତରାଗଡିଆ, ଗୋଡ଼ିଖଳା, କାଣ୍ଡଗରଡି, ଆଦି ଅଞ୍ଚଳରେ ୧୮ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଛି । ସେଥିମଧ୍ୟରୁ ୩୭୦ ହେକ୍ଟର ଜମିରେ ଆତଙ୍କ ଖେଳାଇଛନ୍ତି ଚକଡାପୋକ । ଏନେଇ ଅଭିଯୋଗ ପରେ ଜିଲ୍ଲା କୃଷି ବିଭାଗର ସ୍ୱତନ୍ତ୍ର ଟିମ୍ କ୍ଷେତ୍ର ପରିଦର୍ଶନ କରିଛନ୍ତି, ଆକଳନ ପରେ ସହାୟତା ଦିଆଯିବ ବୋଲି କୃଷି ଅଧିକାରୀ କହିଛନ୍ତି ।