ସ୍କୁଲରେ ଏବିଡିଓ ଓ ବିଇଓଙ୍କୁ ତାଲା

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଶ୍ରୀଜଙ୍ଗରେ ଥିବା ବାଞ୍ଛାନିଧି ନୋଡ଼ାଲ ସ୍କୁଲରେ ଖାଦ୍ୟ ଫିଙ୍ଗା ଘଟଣା । ସମାଧାନ ପାଇଁ ବସିଥିବା ବୈଠକରେ ତୁଟିଲାନି ବିବାଦ । ଲିଖିତ ପ୍ରତିଶୃତି ଦାବିକରି ବ୍ଲକ୍ ଶିକ୍ଷା ଅଧିକାରୀ ଓ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଲେ ଅଭିଭାବକ ଓ ପରିଚାଳନା କମିଟି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବ୍ଲକ୍‌ ଶିକ୍ଷା ଅଧିକାରୀ କାଳନ୍ଦୀ ସୋରେନ୍‌ ସ୍କୁଲକୁ ଯାଇ ସ୍ବୟଂ ସହାୟିକା ଗୋଷ୍ଠୀ ଓ ପରିଚାଳନା କମିଟିକୁ ନେଇ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀଙ୍କ ପାଇଁ ରନ୍ଧା ଯାଇଥିବା ଖାଦ୍ୟ କାହିଁକି ଫିଙ୍ଗା ଯାଇଥିଲା । ଛାତ୍ରଛାତ୍ରୀଙ୍କୁ କାହିଁକି ବିସ୍କୁଟ ବଣ୍ଟା ଯାଇଥିଲା । ଏହି ଘଟଣା ପଛରେ କଣ ରହିଛି କାରଣ । ଏମିତି ଏକାଧିକ ସମସ୍ୟା ସମ୍ପର୍କରେ ତଦନ୍ତ କରାଯାଇଥିଲା । ପରିଚାଳନା କମିଟି ତରଫରୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା, ତରକାରୀରେ ଆଳୁର ପରିମାଣ କମ ଥିବା, ତରକାରୀ ମଧ୍ୟ କମ ଦିଆଯାଉଥିବା ଅଭିଯୋଗ କରାଯାଇଥିଲା । ତେବେ ସ୍ବୟଂ ସହାୟିକା ଗୋଷ୍ଠୀ ଖାଦ୍ୟ ଫିଙ୍ଗି ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ । ସେହିପରି ବଜାର ଦର୍‌ ବୃଦ୍ଧି ହୋଇଥିବାରୁ ଆଳୁ ଓ  ତରକାରୀର ପରିମାଣ କମ୍‌ ଥିବା ମଧ୍ୟ ଏସ୍‌ଏଚ୍‌ଜି ତରଫରୁ କୁହାଯାଇଛି । ଘଟଣାର ତଦନ୍ତକରି କାହିଁକି ଛାତ୍ରଛାତ୍ରୀଙ୍କୁ ଖାଇବାକୁ ନଦେଇ ଫିଙ୍ଗାଗଲା, ସେନେଇ ଖାଦ୍ୟ ପ୍ରସ୍ତୁତି ଦାୟିତ୍ବରେ ଥିବା ଏସ୍‌ଚ୍‌ଜିକୁ କାରଣ ଦର୍ଶାଅ ନୋଟିସ୍‌ ଜାରୀ କରିଛନ୍ତି ବ୍ଲକ୍‌ ଶିକ୍ଷା ଅଧିକାରୀ । ତଦନ୍ତ ରିପୋର୍ଟ ଆସିବା ପରେ ଏସ୍‌ଏଚ୍‌ଜି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।