ତିର୍ତ୍ତୋଲ, ବାଲେଶ୍ୱର ଉପନିର୍ବାଚନ : ଦ୍ରୁତ ଗତିରେ ବଢୁଛି ମତଦାନ, ଭୋଟଦାନ ପାଇଁ ଉତ୍ସାହିତ ଜନତା

1 min read

ଭୁବନେଶ୍ୱର: କୋଭିଡ଼ କଟକଣାରେ ରାଜ୍ୟରେ ପ୍ରଥମ ନିର୍ବାଚନ । ଶାନ୍ତି ଶୃଙ୍ଖଳାର ସହ ଆଗେଇ ଚାଲିଛି ମତଦାନ । ସାମାଜିକ ଦୂରତାକୁ ପ୍ରଶାସନର ପ୍ରାଥମିକତା । ଦିନ ଗଡିବା ସହ ବଢୁଛି ଭୋଟ ପ୍ରତିଶତ । ଶେଷ ଖବର ସୁଦ୍ଧା ଅପରାହ୍ନ ୩ଟା ଯାଏ ତିର୍ତ୍ତୋଲ ଏବଂ ବାଲେଶ୍ୱରରେ ୫୫.୯୬ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ସେହିପରି ତିର୍ତ୍ତୋଲରେ ୫୭.୦୪ ଏବଂ ବାଲେଶ୍ୱରରେ ୫୪.୮୫ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ମଧ୍ୟାହ୍ନ ପରେ ଭୋଟ ଦାନରେ ଉତ୍ସାହ ଦେଖାଦେଇଛି । ତେଣୁ ସନ୍ଧ୍ୟା ସମୟରେ ମତହାନ ହାର ଆଉ ୧୫ରୁ ୨୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଜଣାପଡିଛି ।

ଆସନ୍ତୁ ଜାଣିବା ଏହି ୨ଟି ନିର୍ବାଚନମଣ୍ଡଳୀ ସମ୍ପର୍କରେ ।  ଜଗତସିଂହପୁର ଜିଲା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ  । ଏହା ୨୦୦୯ଠାରୁ ଅନୁସଚିତ ଜାତି(ଏସସି) ବର୍ଗ ପାଇଁ ସଂରକ୍ଷିତ ହୋଇ ରହିଛି । ୨୦୧୯ ସାଧାରଣ ନିର୍ବାଚନରେ ବିଷ୍ଣୁ ଚରଣ ଦାସ ଏହିଠାରୁ ବିଜୟୀ ହୋଇଥିଲେ । ବିଧାୟକ ବିଷ୍ଣୁ ଦାସଙ୍କ ଅକାଳ ବିୟୋଗ ପାଇଁ ସେଠାରେ ଉପନିର୍ବାଚନ ପରିସ୍ଥିତି ସୃଷ୍ଟି କରିଛି । ୨୦୧୯ରେ ହୋଇଥିବା ନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଥିବା ବିଷ୍ଣୁଚରଣ ଦାସ ଭାଜପା ପ୍ରାର୍ଥୀ ରମାକାନ୍ତ ଭୋଇଙ୍କୁ ହରାଇଥିଲେ ।

ତିର୍ତ୍ତୋଲ, ବିରିଡି ଓ ରଘୁନାଥପୁର ବ୍ଲକକୁ ନେଇ ତିର୍ତ୍ତୋଲ ବିଧାନସଭା ଆସନଟି ଗଠିତ । ଏଥିସହିତ କୁଜଙ୍ଗର କିଛି ଅଞ୍ଚଳ ମଧ୍ୟ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଯାଉଅଛି । ଗତ ଥର ସମଗ୍ର ନିର୍ବାଚନମଣ୍ଡଳୀ ପାଇଁ ୨୬୫ଟି ବୁଥ୍ ହୋଇଥିଲା । ହେଲେ ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁ ୧୦୮ଟି ଅଧିକ ବୁଥ୍ କରାଯାଇଛି । ଫଳରେ ବୁଥ ସଂଖ୍ୟା  ୩୭୩ରେ ପହଞ୍ଚିଛି । ନିର୍ବାଚନମଣ୍ଡଳୀର ଭୋଟର ସଂଖ୍ୟା-୨,୩୪,୧୪୫ ରହିଥିଲା । ଏଥିରେ ପୂର୍ବାପେକ୍ଷା ୫୮୦୦ ଭୋଟରଙ୍କୁ ଅଧିକ ସାମିଲ କରାଯାଇଛି । ଏବେ ଭୋଟରଙ୍କ ସଂଖ୍ୟା ୨,୩୯,୧୫୩କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରେ ୧,୨୪,୧୬୮ ଜଣ ପୁରୁଷ, ୧,୧୪,୯୫୬ ଜଣ ମହିଳା, ୨୯ ଜଣ ସମଲିଙ୍ଗୀ ରହିଛନ୍ତି ।

ବର୍ତ୍ତମାନ ଉପନିର୍ବାଚନରେ ସ୍ୱର୍ଗତ ବିଷ୍ଣୁଚରଣ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ରାଜକିଶୋର ବେହେରା ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ହିଂମାଶୁ ମଲ୍ଲିକଙ୍କୁ ପ୍ରଥମଥର ପାଇଁ କଂଗ୍ରେସ ପ୍ରାର୍ଥୀ କରାଯାଇଛି ।

ବାଲେଶ୍ୱର ଜିଲାର ବାଲେଶ୍ୱର ସଦର ଆସନ । ଏହା ବ୍ରିଟିଶ ଅମଳର ସହର   ମୋଟ   26ଟି ପଞ୍ଚାୟତ ଓ ମ୍ୟୁନିସିପାଲିଟିର 31ଟି ୱାର୍ଡକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ । ଏହି ଆସନରୁ ପ୍ରତିନିଧିତ୍ୱ କରୁଥିଲେ ଭାଜପା ନେତା ମଦନମୋହନ ଦତ୍ତ । ତାଙ୍କ ଅକାଳ ବିୟୋଗ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ସ୍ୱର୍ଗତ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ଭାଜପା ପ୍ରାର୍ଥୀ କରିଛି । ସେହିପରି ବିଜେଡି ପକ୍ଷରୁ ପୂର୍ବତନ କାଉନସିଲର ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରାଯାଇଛି । ଗତ ନିର୍ବାଚନରେ ମଦନମୋହନ ଦତ୍ତ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶଙ୍କୁ ୧୩, ୪୦୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ସେହିପରି  କଂଗ୍ରେସ ପ୍ରାର୍ଥୀ ମାନସ ଦାସପଟ୍ଟନାୟକ ୧୯,୭୦୪ ଖଣ୍ଡ ଭୋଟ ପାଇଥିଲେ ।ଚଳିତ ଥର ବାଲେଶ୍ୱର ସଦର ଆସନର ଭୋଟରଙ୍କ ସଂଖ୍ୟା-୨,୩୦,୨୯୭ ଖଣ୍ଡ ରହିଛି । ତନ୍ମଧ୍ୟରୁ ୧,୧୮,୬୫୮ ଜଣ ପୁରୁଷ, ୧,୧୧,୬୩୦ ମହିଳା ଏବଂ ତୃତୀୟ ଲିଙ୍ଗୀ-୯ ଜଣ ରହିଛନ୍ତି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବୁଥ୍ ସଂଖ୍ୟା ୩୪୬କୁ ବୃଦ୍ଧି ପାଇଛି ।

Leave a Reply