ସାଢେ ୫ ଘଣ୍ଟାର ଚୋର ପୋଲିସ ଖେଳ ପରେ ଧରା ପଡିଲା ଇଶ୍ୱର

ବାଲେଶ୍ୱର: ଶେଷରେ ଧରାପଡ଼ିଲା ଘରେ ଭିତରେ ରହି ପୋଲିସ ଉପରକୁ ପଥର ଓ ବୋମା ପିଙ୍ଗୁଥିବା ଅଭିଯୁକ୍ତ । ଦୀର୍ଘ ସାଢେ ୫ ଘଣ୍ଟାର କସରତ ପରେ ପୋଲିସ ଏବଂ ଓଡ୍ରାଫ୍‌ ଟିମ୍‌ ଅଭିଯୁକ୍ତ ଈଶ୍ୱରକୁ କାବୁ କରିବାରେ ସଫଳ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ରେମୁଣା ସାମରାଇପୁରରେ ସକାଳୁ ପୋଲିସ ଓ ଅଭିଯୁକ୍ତଙ୍କ ମଧ୍ୟରେ ଲାଗିଥିଲା ଲୁଚଲୁଚି ଖେଳ । ଘରେ ଲୁଚି ରହି ଅଭିଯୁକ୍ତ ପୋଲିସ ସହ ଖେଳୁଥିଲା । ପୋଲିସ ଉପରକୁ କେତେବେଳେ ବୋମା ତ କେତେବେଳେ ଫିଙ୍ଗୁଥିଲା ପଥର ।

ବହୁ ସମୟ ଧରି ଅଭିଯୁକ୍ତକୁ କାବୁ କରିବାକୁ ଚେଷ୍ଟା କରୁଥିଲା ପୋଲିସ । ହେଲେ ଅଭିଯୁକ୍ତ ଈଶ୍ୱର ପ୍ରତିଥର ଚକ୍‌ମା ଦେବାରେ ସକ୍ଷମ ହେଉଥିଲା । ଏମିତିକି ଛାତ ଉପରୁ ହାତ ହଲାଇ ପୋଲିସକୁ ଥଟ୍ଟ। କରିବାକୁ ବି ପଛାଉ ନଥିଲା ଅଭିଯ଼ୁକ୍ତ । ଗ୍ୟାସ୍‌ ସିଲିଣ୍ଡର ଦେଖାଇ ବି ଡରାଉଥିଲା। ଅଭିଯୁକ୍ତର ଏ ହରକତରେ ନାକେଦମ ହୋଇପଡ଼ିଥିଲା ପୋଲିସ। ଶେଷରେ ସାଢେ ୫ ଘଣ୍ଟା ପରେ ଅଭିଯୁକ୍ତ ଈଶ୍ୱରକୁ କାବୁ କରାଯାଇଛି । ଈଶ୍ୱର ନାଁରେ ହତ୍ୟା, ରାହାଜାନୀ, ଲୁଟ୍‌ ଭଳି ସଙ୍ଗୀନ ମାମଲା ରହିଛି । ପୂର୍ବରୁ ପୋଲିସ ଉପରକୁ ଗରମ ପାଣି ଫିଙ୍ଗି ଖସିଯିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ ଇଶ୍ୱର ।

Leave a Reply