ମୁନା ଖାଁଙ୍କ ଘରୁ ୬୫ ଗ୍ରାମ୍ ବ୍ରାଉନସୁଗର ସହ ୨୩ ଲକ୍ଷରୁ ଅଧିକ ଟଙ୍କା ଜବତ

ବାଲେଶ୍ୱର: ବାଲେଶ୍ୱରରୁ ପୁଣି ବ୍ରାଉନସୁଗର ଜବତ । ବିଶେଷ ସୂତ୍ରରୁ ଖବର ପାଇ ଅରଡ଼ ବଜାର ଅଞ୍ଚଳରେ ଚଢ଼ାଉ ବେଳେ ସହଦେବଖୁଣ୍ଟା ପୋଲିସ ବ୍ରାଉନସୁଗର ଜବତ କରିଛି । ମୁନା ଖାଁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ ବେଳେ ୬୫ ଗ୍ରାମର ବ୍ରାଉନସୁଗର ମିଳିଛି । ମୁନା ନିକଟରୁ ଏକ ଟଙ୍କା ବ୍ୟାଗ ମଧ୍ୟ ଜବତ କରିଛି ପୋଲିସ । ବ୍ୟାଗରୁ ନଗଦ ୨୩ ଲକ୍ଷ ୫୮ ହଜାର ୨୫୦ ଟଙ୍କା ଜବତ ହୋଇଛି ।
ସେହିଭଳି ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୬ ଲକ୍ଷ ୫୦ ହଜାର ଟଙ୍କା ହେବବୋଲି ଜଣାପଡ଼ିଛି । ମୁନା ଖାଁ ଗତବର୍ଷ ବ୍ରାଉନସୁଗର କାରବାରରେ ଧରା ହୋଇଥିବା କୁଖ୍ୟାତ ନିଶା ବ୍ୟବସାୟୀ ଶେଖ୍ ରାଜାର ଭିଣୋଇ ବୋଲି ପୋଲିସ କହିଛି । ରେଡ୍ ବେଳେ ଘଟଣା ସ୍ଥଳରୁ ମୁନାର ସହଯୋଗୀ ବାପୁନ ଓରଫ କାର୍ତ୍ତିକ ଦାସ ଫେରାର ହୋଇଯାଇଛି ।
ଏହି ବ୍ରାଉନସୁଗର କାରବାରରେ ଏକ ବିରାଟ ରାକେଟ କାର୍ଯ୍ୟ କରୁଛି । ଏହା ଉପରେ ଅଧିକ ଅନୁସନ୍ଧାନ କରୁଥିବା ପୋଲିସ କହିଛି । ସିଟି ଡିଏସପି ମନୋଜ କୁମାର ରାଉତଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା ।