ମିସେସ୍‍ ଇଣ୍ଡିଆ ଟାଇଟଲ୍‍ ଜିତିଲେ ବାଲେଶ୍ୱରର ରୂପ୍‍ସା

1 min read

ଭୁବନେଶ୍ୱର: ମିସେସ୍‍ ଇଣ୍ଡିଆ -୨୦୨୨ର ଟାଇଟଲ୍‍ ଜିତିଛନ୍ତି ଓଡ଼ିଆ ମହିଳା ରୂପ୍‍ସା ନାୟକ । ଏହାକୁ ନେଇ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି । ଗ୍ଲାମର୍‍ ୱାର୍ଲ୍ଡ ପକ୍ଷରୁ ଆୟୋଜିତ ‘ମିସେସ୍‍ ଇଣ୍ଡିଆ -୨୦୨୨’ ଟାଇଟଲ୍‍ ଓ କ୍ରାଉନ୍‍ ଜିତି ଅନ୍ୟ ମହିଳାମାନଙ୍କ ପାଇଁ ରୋଲ୍‍ ମଡେଲ୍‍ ପାଲଟି ଯାଇଛନ୍ତି । ଗତ ରବିବାରରେ ମୁମ୍ବାଇରେ ଆୟୋଜିତ ମିସେସ୍‍ ଇଣ୍ଡିଆ ପ୍ରତିଯୋଗିତାରେ ଦେଶର ୨ ଶହ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ‘ମିସେସ୍‍ ଇଣ୍ଡିଆ-୨୦୨୨’ର ବିଜେତା ହୋଇପାରିଛନ୍ତି ।

କର୍ପୋରେଟ୍‍ ସେକ୍ଟରରେ କାମ କରି ମଧ୍ୟ ଫ୍ୟାସନ୍‍ ଦୁନିଆରେ ପାଦ ଥାପି ଭାରତରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଟାଇଟଲ୍‍ ଜିତିଛନ୍ତି ରୁପ୍‍ସା । ପରିବାର ଓ କର୍ମକ୍ଷେତ୍ରରେ ନିଜର ଦାୟିତ୍ୱ ତୁଲାଇବା ସହ ନୂଆ ନୂଆ କରି ଗ୍ଲାମର ଦୁନିଆରେ ପାଦଥାପି ଅନ୍ୟ କର୍ମଜୀବୀ ଓ ବିବାହିତ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଜନ୍ମଭୂମି ବାଲେଶ୍ୱର ହୋଇଥିଲେ ବି ଗତ କିଛିବର୍ଷ ହେଲା ମୁମ୍ବାଇରେ କାର୍ଯ୍ୟରତ । ପୂର୍ବରୁ ବହୁ ମଡେଲ ଶୋ’ରେ ଅଂଶଗ୍ରହଣ କରିବା ସହ ଓଡ଼ିଆ ଚଳଚ୍ଚିତ୍ର ‘ଟଙ୍କା ତୋତେ ସଲାମ୍‍’ରେ ମଧ୍ୟ ଅଭିନୟ କରିଥିଲେ । ଏହି ପ୍ରତିଯୋଗିତାରେ ବିଭିନ୍ନ ପର୍ଯ୍ୟାୟରେ ପରିପାଟ୍ଟୀ ପରିଧାନଠାରୁ ଆରମ୍ଭ କରି ପ୍ରଶ୍ନୋତ୍ତର ପର୍ଯ୍ୟାୟରେ ନିଜର ଟ୍ୟାଲେଣ୍ଟ ଦର୍ଶାଇ ସମସ୍ତଙ୍କଠାରୁ ଆଗରେ ରହିଛନ୍ତି । ଏହାସହ ନିଜକୁ ଉପସ୍ଥାପନା କରି ବେଶ୍‍ ପ୍ରଶଂସା ସାଉଣ୍ଟିଥିଲେ । ଏତେସବୁ ଟାଇଟଲ୍‍ ଜିତିବା ପରେ ମଡେଲ ଦୁନିଆରେ ନିଜର କ୍ୟାରିୟର୍‍ ଗଢିବା ଲାଗି ଦେଖିଛନ୍ତି ଅନେକ ସ୍ୱପ୍ନ ।

ବିଭିନ୍ନ ବିଷୟବସ୍ତୁରେ ସେ ବିଭିନ୍ନ ପର୍ଯ୍ୟାୟରେ ସମସ୍ତଙ୍କୁ ପଛରେ ପକାଇ ଏହି ଟାଇଟଲ୍‍ ହାସଲ କରି ପାରିଛନ୍ତି । ସଫ୍ଟୱେୟାର୍‍ ଇଞ୍ଜିନିୟରିଂ ପାଠ୍ୟକ୍ରମ ପରେ ମୁମ୍ବାଇରେ ଏକ ବ୍ୟାଙ୍କିଂ ସେକ୍ଟରରେ କାର୍ଯ୍ୟରତ ଅଛନ୍ତି । ବିବାହ ପରେ ଏହି ଟାଇଟଲ୍‍ ଜିତିବାର ଶ୍ରେୟ ସ୍ୱାମୀ ତଥା ପରିବାର ଲୋକଙ୍କୁ ଦେଇଛନ୍ତି । ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ ବାହାର କରି ଗ୍ଲାମର ଦୁନିଆରେ ନିଜର ପାରଦର୍ଶିତା ଦେଖାଇଛନ୍ତି ରୂପ୍‍ସା ।