ନ୍ୟାୟ ପାଇବା ପାଇଁ ଲଢି ଲଢି ଶେଷରେ ଆଖି ବୁଜିଲେ ସୌମ୍ୟାଶ୍ରୀ

ନନ୍ଦିଘୋଷ ବ୍ୟୁରୋ : ଶେଷରେ ଆଖି ବୁଜିଲେ ବାଲେଶ୍ୱର ଫକୀର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି । ଆତ୍ମାହୁତି ଉଦ୍ୟମ କରି ଜଳି ଯାଇଥିବା ଛାତ୍ରୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଶନିବାର ଦିନ ଭୁବନେଶ୍ୱର ଏମସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ଜଳିଯାଇଥିଲା । ୮ ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କର ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ । ମାତ୍ର ବଞ୍ଚାଇ ପାରିନାହାନ୍ତି । ଗତ ରାତି ୧୧ଟା ୪୬ରେ ତାଙ୍କର ମୃତ୍ୟୁ ହୋଇଥିବା ଏମସ୍ ପକ୍ଷରୁ ଘୋଷଣା କରାଯାଇଛି । ନ୍ୟାୟ ଭିକ୍ଷା କରି ହାରି ଯାଇଛନ୍ତି ସେଇ ହତଭାଗିନୀ ଝିଅ ।
ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁରେ ପୋଡ଼ି ହୋଇଥିବା ଛାତ୍ରୀଙ୍କୁ ୧୨ ତାରିଖରେ ପ୍ରଥମେ ବାଲେଶ୍ୱର ଡାକ୍ତରଖାନା ଏବଂ ପରେ ଏମସ୍ ହସ୍ପିଟାଲ୍ ଅଣାଯାଇଥିଲା । ସେତେବେଳକୁ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା । ଏମସ୍ ଡାକ୍ତରମାନେ ତାଙ୍କୁ ଆଇସିୟୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରିଥିଲେ । ମାତ୍ର ଅବସ୍ଥାରେ ସୁଧାର ଆସି ନ ଥିଲା । ତାଙ୍କର ଶରୀରର ଉପର ଭାଗ ୯୫ ପ୍ରତିଶତ ପୋଡ଼ିଥିଲା ବେଳେ ଭିତରେ ୭୦ ଭାଗ ଗଭୀର ପୋଡ଼ି ଯାଇଥିଲା । କିଡନୀ, ଲଙ୍ଗସ୍, ଶ୍ୱାସନଳୀ ଆଦି ଗୁରୁତର ପ୍ରଭାବିତ ହୋଇଥିଲା । ଅବସ୍ଥା ଏଭଳି ଥିଲା ଯେ ତାଙ୍କୁ ଦିଲ୍ଲୀ ଏୟାରଲିଫ୍ଟ କରିବା ସମ୍ଭବପର ନ ଥିଲା ।
ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବର ଯୋଜନାବଦ୍ଧ ଭାବେ ଘୋଷଣା କରାଯାଇଛି । ସୋମବାର ରାତି ୧୧ଟା ୪୬ ରେ ହୋଇଛି ବୋଲି ଏମସ୍ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଏହାକୁ ସାର୍ବଜନୀନ କରାଯାଇ ନ ଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାତି ୧ଟା ୧ ମିନିଟ୍ ରେ ତାଙ୍କ ଏକ୍ସ ହାଣ୍ଡଲରେ ପ୍ରଥମେ ଏହି ମୃତ୍ୟୁ ଖବର ଦେଇଥିଲେ । ଗୋଟେ ମିନିଟ୍ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଏକ୍ସ ହାଣ୍ଡଲରେ ସୂଚନା ଦେଇଥିଲେ । ସେତେବେଳକୁ ମୃତ ଶରୀରର ବ୍ୟବଚ୍ଛେଦ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ରାତି ଅଧରେ ଶବ ବ୍ୟବଚ୍ଛେଦ ପାଇଁ ନିଷ୍ପତ୍ତି ନିଆ ସରିଥିଲା । ତେବେ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ମୃତଦେହକୁ ପଛ ଗେଟ୍ ଦେଇ ବ୍ୟବଚ୍ଛେଦ ଗୃହକୁ ନିଆଯାଇଥିଲା ।
ରାତି ଅଧରେ ପୋଷ୍ଟମର୍ଟମକୁ ନେଇ ହସ୍ପିଟାଲ୍ ପରିସରରେ ପ୍ରବଳ ହଙ୍ଗାମା ହୋଇଛି । ଲୁଚାଇ ଛପାଇ ରାତି ଅଧରେ ଶବ ବ୍ୟବଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ବିରୋଧ କରି ବିଜେଡି ଏବଂ କଂଗ୍ରେସର ଛାତ୍ର ଓ ଯୁବ କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରିଥିଲେ । ଶବ ବ୍ୟବଚ୍ଛେଦ ଗୃହ ଆଗରେ ସେମାନଙ୍କର ବିକ୍ଷୋଭ କରିବା ସହ ଧାରଣାରେ ବସିରହିଥିଲେ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଏମସକୁ ପୁଲିସ ଛାଉଣି କରାଯାଇଥିଲା । ନିଜେ ଡିସିପି ଜଗମୋହନ ମୀନା ସେଠାରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଥିଲେ ।
ସୋମବାର ସଂଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏମସ୍ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ସହ ତାଙ୍କ ପରିବାରକୁ ଭେଟିଥିଲେ । ତେବେ ରାତି ୧୧ଟା ପରେ ନାଟକୀୟ ଘଟଣାକ୍ରମ ଦେଖିବାକୁ ମିଳିଲା । ସମଗ୍ର କ୍ୟାମ୍ପସ୍ ପୁଲିସ ଛାଉଣି ହୋଇଯାଇଥିଲା । ମୃତକଙ୍କ ପରିବାରକୁ ସ୍ୱତନ୍ତ୍ର ବ୍ୟବସ୍ଥାରେ ସେଠାରେ ରଖାଯାଇଥିଲା । କିଛି ବିଜେପି ନେତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଧାୟକ ବାବୁ ସିଂ ପ୍ରମୁଖ ସେଠାରେ ପହଞ୍ଚି ଏମସ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯାଉ। ସୌମ୍ୟଶ୍ରୀ ମୃତ୍ୟୁ ପଛରେ ରହିଛି ଅନେକ ରହସ୍ୟ । ତାକୁ ଚପେଇ ଦେବାକୁ ଚକ୍ରାନ୍ତ ହେଉଛି ।