ନାହିଁ ନାହିଁରେ ଚାଲିଛି ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ
![](https://nandighoshatv.com/wp-content/uploads/2025/02/UNIVERCITY_PROBLE-1024x576.jpg)
ବଲାଙ୍ଗୀର : ବିନା ପ୍ରଫେସରରେ ଚାଲିଛି ବିଶ୍ବବିଦ୍ୟାଳୟ । ଛାତ୍ରଛାତ୍ରୀଙ୍କ ଭରସା ଅତିଥି ଅଧ୍ଯାପକ। ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ରହିଛି ୧୮ ଟି ବିଭାଗ । ଯେଉଁଠି ୧୮ ଜଣ ପ୍ରଫେସର, ୩୬ ଜଣ ଆସୋସିଏଟ୍ ପ୍ରଫେସର, ୭୨ ଆସିଷ୍ଟାଣ୍ଡ ପ୍ରଫେସର ଏଭଳି ୧୨୬ ଟି ପଦବୀ ପାଇଁ ସ୍ବୀକୃତି ମିଳିଛି । ହେଲେ ଏଠି ଜଣେ ବି ପ୍ରଫେସର ନାହାନ୍ତି । ୩୬ ଆସୋସିଏଟ୍ ପ୍ରଫେସର ମଧ୍ୟରୁ ମାତ୍ର ୨ ଜଣଙ୍କୁ ମିଳିଛି ନିଯୁକ୍ତି । ୭୨ ଆସିଷ୍ଟାଣ୍ଟ ପ୍ରଫେସର ମଧ୍ୟରୁ ଅଛନ୍ତି ମାତ୍ର ୨୦ ଜଣ । ୯୫ ଜଣ ଅତିଥି ଅଧ୍ୟାପକରେ ଚାଲିଛି ପାଠପଢା । ତେଣୁ ଛାତ୍ରଛାତ୍ରୀ କୋଚିଂ ସେଣ୍ଟର ଉପରେ ନିର୍ଭର କରୁଛନ୍ତି । ପଢା ହେଉନଥିବାରୁ ଅନେକ ପାଠ ଛାଡୁଛନ୍ତି । ନୂଆ ସରକାରରେ ବଲାଙ୍ଗୀର ଦୁଇଜଣ କ୍ୟାବିନେଟ ମନ୍ତ୍ରୀ ଥାଇ ସୁଦ୍ଧା ବିଶ୍ବବିଦ୍ଯାଳୟରେ ଏପରି ଅବସ୍ଥା ଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଓ କର୍ତ୍ତୃପକ୍ଷ ।
ପଶ୍ଚିମ ଓଡିଶାର ଏହି ସର୍ବପୁରାତନ କଲେଜକୁ ଅପଗ୍ରେଡ଼େସନ କରି ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ । ଭିତ୍ତିଭୂମିର ବିକାଶ ସହ ଉନ୍ନତମାନର ଶିକ୍ଷା ଓ ଗବେଷଣା ପାଇଁ ଯୋଗାଇ ଦେଇଥିଲେ ଭିତ୍ତିଭୂମି । ଏହାପରେ କୁଳପତି ଓ ରେଜିଷ୍ଟ୍ରାର ନିଯୁକ୍ତି ପାଇଥିଲେ । ଏବେ ସରକାର ବଦଳିବା ପରେ ବଦଳିଛି ସ୍ଥିତି । ପ୍ରଫେସରଙ୍କ କଥା ଛାଡ଼ ୯୨ ଜଣ ଅଣଶିକ୍ଷକଙ୍କ ମଧ୍ୟରୁ ମାତ୍ର ୬ ଜଣ ଅଛନ୍ତି । ଟେକ୍ନିକାଲ ଷ୍ଟାଫ୍ ଅଭାବରୁ ପିଅନ ଓ ରାତ୍ର ଜଗୁଆଳି ସାଇନ୍ସ ପିଲାଙ୍କ ପ୍ରାକ୍ଟିକାଲ କରୁଛନ୍ତି । ସାଇନ୍ସ ଲାବୋରେଟୋରୀରେ ୮ ଟି ବିଭାଗର ପ୍ରାକ୍ଟିକାଲ ପାଇଁ ୧୬ ଜଣ ଦକ୍ଷ କର୍ମଚାରୀ ବଦଳରେ ୨ ଜଣ ପିଅନ ଅଛନ୍ତି । ବାରମ୍ବାର ଚିଠି ଲେଖି ଅନୁରୋଧ କରାଯାଉଛି କିନ୍ତୁ କୌଣସି ପଦକ୍ଷେପ ନିଆଯାଉ ନଥିବା କହିଛ୍ତି କୁଳପତି ।