ଘରୋଇ ଆମ୍ବୁଲାନ୍ସରେ କଫ ସିରଫ ଚାଲାଣ, ମାଡ଼ି ବସିଲା ପୋଲିସ

1 min read

ବଲାଙ୍ଗୀର: ଆମ୍ବୁଲାନ୍ସ ସେବା କେବଳ ବାହାନା । ଘରୋଇ ଆମ୍ବୁଲାନ୍ସରେ ହେଉଥିଲା କଫ୍ ସିରଫ ଚୋରା ଚାଲାଣ । ଖବର ପାଇ ମାଡ଼ି ବସିଲା ବଲାଙ୍ଗୀର ପୋଲିସ । ଲକ୍ଷାଧିକ ଟଙ୍କାର କଫ ସିରଫ ଜବତ କରିଛି ଟାଉନ ଥାନା ପୋଲିସ । ଘରୋଇ ଆମ୍ବୁଲାନ୍ସରେ ଆଗରୁ ବି ଅଭିଯୁକ୍ତମାନେ ଚୋରା ଚାଲାଣ କରୁଥିବା ପୋଲିସ ଜାଣିବାକୁ ପାଇଛି I ଚଢ଼ାଉ ବେଳେ ଏକ ଫାର୍ମାସି କମ୍ପାନୀର ମେଡିସିନ ରିପ୍ରେଜେଣ୍ଟେଟିଭ ରାକେଶ ପ୍ରଧାନ ଧରାପଡ଼ିଛି ।

ରାକେଶ ସମେତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ମେଣ୍ଡା ଗାଁର। ରାକେଶ ଏମଆର ଭାବେ କାମ କରୁଥିବାବେଳେ ବଲାଙ୍ଗୀର ସହର ଶାସ୍ତ୍ରୀନଗର ହରିହର ମିଶ୍ର ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାମ କରୁଥିଲେ । ଅଭିଯୁକ୍ତମାନଙ୍କଠାରୁ ୧୫ ପେଟି ୧୮ ଶହ ବୋତଲ କଫ ସିରଫ ଜବତ ହୋଇଛି । ଗୋଟିଏ ଆମ୍ବୁଲାନ୍ସ,, ପଶ୍ଚିମବଙ୍ଗ ନମ୍ବର ଥିବା ଦାମୀ କାର, ଗୋଟିଏ ସ୍କୁଟି ସହ ବିଭିନ୍ନ ସାମଗ୍ରୀ ଜବତ କରିଛି ଟାଉନ୍ ଥାନା ପୋଲିସ I