ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ବଲାଙ୍ଗୀର ଜିଲ୍ଲାରେ ଖରିଫ ଋତୁ ପାଇଁ ଖୋଲିଲା ଧାନ ମଣ୍ଡି । ଲୋଇସିଂହା ପେକ୍ସରୁ ଉଦଘାଟନ କରିଛନ୍ତି ଜିଲ୍ଲାପାଳ । ଚଳିତ ବର୍ଷ ପଞ୍ଜୀକରଣ କରିଛନ୍ତି ୧ ଲକ୍ଷ ୫୦ ହଜାର ୩୧ ଜଣ ଚାଷୀ । ୧୫୮ ପେକ୍ସ, ଅତିରିକ୍ତ ୮ ଗୋଟି ଧାନ କିଣା କେନ୍ଦ୍ର ଓ ୧୪ ଟି SHG ଗ୍ରୁପ ମାଧ୍ୟମରେ ଚାଲିବ ଧାନକିଣା । ଚୋରାଚାଲାଣ ଓ ଦଲାଲ ରାଜ ରୋକିବାକୁ ପୋଲିସ ପକ୍ଷରୁ ହୋଇଛି ବ୍ଯାପକ ବ୍ଯବସ୍ଥା । ତେବେ ଟୋକନକୁ ନେଇ ଚାଷୀଙ୍କ ମଧ୍ଯରେ ଦେଖାଦେଇଛି ଅସନ୍ତୋଷ ।
ବଲାଙ୍ଗୀରରେ ଖୋଲିଲା ଧାନମଣ୍ଡି । ଟୋକନ ବଣ୍ଟନକୁ ନେଇ ଅସନ୍ତୋଷ ଚାଷୀ । FAQ ମାନ, ଇନପୁଟ ସବସିଡକୁ ନେଇ ଦ୍ବନ୍ଦ୍ବ । ବଲାଙ୍ଗୀର ଜିଲ୍ଲା ଲୋଇସିଂହା ପ୍ରାଥମିକ କୃଷି ସମବାୟ ସମିତିରେ ଧାନକିଣା ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି I ପୂଜାପାଠ ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ । ପ୍ରାଥମିକ ଭାବେ ଜିଲ୍ଲାକୁ ୨ ଲକ୍ଷ ୪୬ହଜାର ମେଟ୍ରିକ ଟନ୍ ଟାର୍ଗେଟ ଆସିଛି I ଜିଲ୍ଲାର ୬୩ ଟି ରାଇସ ମିଲ ଧାନ ଉଠାଇବେ I FAQ ଧାନ ପାଇଁ ୨ ହଜାର ୩୬୯ ଟଙ୍କା ଓ ଗ୍ରେଡ A ଧାନ ପାଇଁ ୨ ହଜାର ୩୮୯ ଟଙ୍କା ସହ ଇନପୁଟ୍ ସବସିଡି ୮ଶହ ଟଙ୍କା ମିଳିବ । କିନ୍ତୁ ଚାଷୀ କୁଇଣ୍ଟାଲ ପ୍ରତି ୩ହଜାର ୧୬୯ ଟଙ୍କା ପାଇବେ ନା ୩୧ ଶହ ଟଙ୍କା ପାଇବେ ତାକୁ ନେଇ ଦ୍ବନ୍ଦ୍ବରେ । ସେପଟେ ଜଣେ ଚାଷୀ ୪ ଶହ କୁଇଣ୍ଟାଲ ଧାନ ଉତ୍ପାଦନ କରିଥିବାବେଳେ ମିଳିଛି ମାତ୍ର ୭୯ କୁଇଣ୍ଟାଲ ଟୋକନ ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।
ଚଳିତବର୍ଷ ଏକ ଲକ୍ଷ ୫ ହଜାର ୩୧ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ଜିଲ୍ଲାର ୧୫୮ ପେକ୍ସ, ଅତିରିକ୍ତ ୮ ଗୋଟି ନୂତନ କେନ୍ଦ୍ର ସହ ୧୪ ଟି SHG ମାଧ୍ୟମରେ ଧାନ କିଣାଯିବ । ଧାନର ମାନ ଯାଞ୍ଚ ପାଇଁ ଗ୍ରେଡ ଆନାଲାଇଜର ଓ ଆଦ୍ରତା ପାଇଁ ଆଦ୍ରତା ମାପ ମେସିନ ବ୍ୟବହାର ହେବ । ବେଆଇନ ଧାନ ଚୋରାଚାଲାନ ରୋକିବାକୁ ସ୍ବତନ୍ତ୍ର ସ୍କ୍ବାଡ ସହ ଜିଲ୍ଲା ସୀମାରେ ନଜର ରହିଛି I ପ୍ରଥମ ଦିନ 50 ପ୍ରତିଶତ ଚାଷୀଙ୍କ ନିକଟକୁ ଟୋକନ ପହଞ୍ଚିଛି ।

