ଡାକ୍ତରୀ ଛାତ୍ରୀ ନିରୁପମାଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଭାଙ୍ଗିଛି ବେକ ହାଡ଼

ବଲାଙ୍ଗିର: ଭୀମଭୋଇ ମେଡିକାଲ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ ନିରୁପମା ନନ୍ଦଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ରାତି ପ୍ରାୟ ୧୨ଟାରୁ ୧୨ଟା ୧୮ମିନିଟ ଭିତରେ ନିରୁପମାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ନିରୁପମାଙ୍କ ଦେହରେ ଅନ୍ୟ ସ୍ଥାନରେ କୋଣସି କ୍ଷତ ଚିହ୍ନ ନଥିବା ବେଳେ, ତାଙ୍କ ବେକର ହାଡ଼ ଭାଙ୍ଗିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ଭିସେରା ରିପୋର୍ଟ ଆସିନାହିଁ । ଛାତ୍ରୀ ଜଣକ ମୃତ୍ୟୁ ପୂର୍ବରୁ କ’ଣ ଖାଇଥିଲେ ତାହା ଜଣା ପଡ଼ିନାହିଁ ।

 Balangir MBBS Student Nirupama Postmortem Report

ଘଟଣା ଦିନ ମେଡିକାଲ କଲେଜ ଡିନ ଡକ୍ଟର ସବିତା ମହାପାତ୍ର ନିରୂପମାଙ୍କ ରୁମରୁ କେମିକାଲ ଗନ୍ଧ ଆସୁଥିବା କହିଥିଲେ, କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟରେ କେମିକାଲର କୌଣସି ବିଷୟ ଉଲ୍ଲେଖ କରାଯାଇନାହିଁ । ଶ୍ୱାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଛି । ଗତ ୬ ତାରିଖରେ ଛାତ୍ରୀ ନିବସର ୩୦୮ ନମ୍ବର ରୁମରୁ ନିରୁପମାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା  । ମୃତ୍ୟୁ ଦିନ ରାତି ୧୧ଟା ୨୭ମିନିଟ ପର୍ଯ୍ୟନ୍ତ ପରିବାର ଲୋକଙ୍କ ସହ ଭିଡିଓ କଲରେ କଥାବାର୍ତ୍ତା  କରିଥିଲେ । ୧୧ଟା ୪୫ମିନିଟରେ ନିରୁପମା ଆତ୍ମହତ୍ୟା କରିଥିବା ନେଇ ହଷ୍ଟେଲ ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା ।

 Balangir MBBS Student Nirupama Postmortem Report

ପରିବାର ଲୋକେ ୧୨ଟା ୧୦ ରେ ପହଞ୍ଚିବା ବେଳକୁ ମେଡିକାଲ କଲେଜ କର୍ତ୍ତୃପକ୍ଷ ଓ ପୋଲିସ ମଧ୍ୟ ପହଞ୍ଚି ସାରିଥିଲେ । ପରିବାର ଲୋକେ ଯୋଜନାବଦ୍ଧ ହତ୍ୟା ନେଇ ଅଭିଯୋଗ ଆଣିଥିଲେ । ମୃତ୍ୟୁ ପୂର୍ବରୁ ଜଣେ ଯୁବକ ତାଙ୍କ ସହ ଫୋନରେ କଥାବାର୍ତ୍ତା କରିଛନ୍ତି ଓ ସେ ହିଁ ହଷ୍ଟେଲକୁ ଫୋନ୍ କରି ନିରୁପମାଙ୍କୁ ଦେଖିବାକୁ କହିଥିବା ପୋଲିସ ସିଡିଆର ରିପୋର୍ଟରୁ ଜାଣିବାକୁ ପାଇଛି । ଅନ୍ୟପଟେ ହଷ୍ଟେଲ କର୍ତ୍ତୃପକ୍ଷ ରାତି ୧୧ଟା ୪୫ରୁ ୫୯ ମିନିଟ୍ ଭିତରେ ପରିବାର ଲୋକଙ୍କୁ ମୃତ୍ୟୁ ଖବର ଦେଇଥିଲେ । ମାତ୍ର ଶବ ବ୍ୟବଚ୍ଛେଦ ରିପୋର୍ଟରେ ରାତି ୧୨ଟା ପରେ ମୃତ୍ୟୁ ହୋଇଥିବା ଦର୍ଶାଇଯାଇଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply