ଅପରାଧୀଙ୍କ ଚରାଭୂଇଁ ପାଲଟିଛି ବଲାଙ୍ଗୀର, ସବୁ ଜାଣି ପୋଲିସ ଚୁପ୍

1 min read

ବଲାଙ୍ଗୀର: ଦିନ ହେଉ କି ରାତି ବଲାଙ୍ଗୀର ପାଲଟିଛି ଅପରାଧୀଙ୍କ ଚରାଭୂଇଁ । ଯେତେବେଳେ ଚାହୁଁଛନ୍ତି, ଯେଉଁଠି ଚାହୁଁଛନ୍ତି କରୁଛନ୍ତି ଲୁଟପାଟ । ପୋଲିସ ସବୁ ଜାଣି ଚୁପ ବସିଥିବା ଅଭିଯୋଗ । ଏମିତି ସ୍ଥିତିରେ ନିଜ ଧନଜୀବନକୁ ନେଇ ଅଞ୍ଚଳବାସୀ ଭୟଭିତ । ବଲାଙ୍ଗୀରରେ କେବେ କାବୁ ହେବେ ଅପରାଧୀ, କେବେ ଫେରିବ ଶାନ୍ତି ତାକୁ ନେଇ ଆଶା ଆଶଙ୍କାରେ ସ୍ଥାନୀୟ ବାସିନ୍ଦା । ବଡ କଥା ହେଲେ ଓପନ ଚ୍ଯାଲେଞ୍ଜ କରି ଲୁଟ କରୁଛନ୍ତି ଦୁର୍ବୃତ୍ତ । ବନ୍ଧୁକ, ଖଣ୍ଡା, ଭୁଜାଲି ଭଳି ମାରଣାସ୍ତ୍ର ଧରି ଲୋକଙ୍କୁ ଭୟଭିତ କରି ଆତଙ୍କରାଜ କରୁଛନ୍ତି ଅପରାଧୀ । ଆଉ ପୋଲିସ କହୁଛି ତଦନ୍ତ ଚାଲିଛି ।

ବଲାଙ୍ଗୀର ସହର ୫ ନମ୍ବର ୱାର୍ଡର ସୂର୍ଯ୍ୟନଗର । ଏଠାରେ ଗତ ୪ ମାସ ହେଲା ରାତିରେ ନିଶାସକ୍ତ ଅବସ୍ଥାରେ ଆତଙ୍କ ସୃଷ୍ଟି କରୁଛନ୍ତି ଅପରାଧୀ । ପୋଲିସକୁ ଚ୍ଯାଲେଞ୍ଜ ଦେଇ କରୁଛନ୍ତି ଲୁଟ୍ । ଗତ ସପ୍ତାହେ ମଧ୍ୟରେ ପାଖାପାଖି ୩ରୁ ୪ଲକ୍ଷ ଟଙ୍କା ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ସୂର୍ଯ୍ୟନଗର ବାସିନ୍ଦା I ଚୋରି, ଲୁଟ଼୍ ନେଇ ସ୍ଥାନୀୟ ଲୋକ ଟାଉନ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅସାମାଜିକ ଯୁବକଙ୍କ ସହ ପୋଲିସର ରହିଛି ଅଦୃଶ୍ୟ ସହଯୋଗ । ଏବେ ସ୍ଥାନୀୟ ଲୋକ ବଲାଙ୍ଗୀର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହେଲେ ସେଠି ବି ମିଳିଛ କେବଳ ପ୍ରତିଶ୍ରୁତି ।

ଲୋକେ ବଲାଙ୍ଗୀର ଏସପିଙ୍କୁ ଭେଟି ଅଭିଯୋଗ କରିବା ପରେ ଏସପି ରିଷିକେଶ ଖିଲାରୀ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଟାଉନ୍ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ I ଟାଉନ ଥାନା ପୋଲିସ, ସାଇଣ୍ଟିଫିକ୍ ଟିମ ଓ ଡଗ ସ୍କୁଡ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ତଦନ୍ତ ଆଳରେ କେବଳ ଦିନ ଗଡିଛି ହେଲେ, ଅପରାଧୀ ଏବେ ବି ପୋଲିସ କବଜାରୁ ବହୁ ଦୂରରେ । ଏଠି ପ୍ରଶ୍ନ ଉଠୁଛି ଯେଉଁ ଅପରାଧୀଙ୍କ ପୋଲିସକୁ ଭୟ ନାହିଁ । ସେ କ’ଣ ସିସିଟିଭି ଓ ସିକ୍ୟୁରିଟି ଗାର୍ଡକୁ ଭୟ କରିବେ । ପୋଲିସ ଓ ଅପରାଧୀଙ୍କ ଭିତିରିଆ ସଲାସୁତରା ସବୁ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।