ବଳଙ୍ଗା ପୀଡ଼ିତାଙ୍କ ଭିଡିଓ ଭାଇରାଲ ଘଟଣା ; ଅଭିଯୁକ୍ତଙ୍କ ବିରୋଧରେ କଡ଼ା ଆକ୍ସନ ହେବ

ପୁରୀ: ଯିଏ ବଳଙ୍ଗା ପୀଡ଼ିତାଙ୍କ ଭିଡିଓ ଭାଇରାଲ କରିଛି, ତା ବିରୋଧରେ ଆକ୍ସନ ହେବ। ଏଥିପାଇଁ ଫେସବୁକ ଓ ଗୁଗୁଲକୁ ଚିଠି ଲେଖାଯାଇଥିବା କହିଛନ୍ତି ପୁରୀ ଏସପି ପିନାକ ମିଶ୍ର। ସେ କହିଛନ୍ତି, ଜୁଭେନାଇଲ୍ କୋର୍ଟ ଆଧାରରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ। ସୋସିଆଲ ମିଡିଆର ସୋର୍ସ ଆସିବା ପରେ ସେହି ବ୍ୟକ୍ତି ବିଶେଷଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯିବ। ସୁପ୍ରିମକୋର୍ଟର କଡା ନିର୍ଦ୍ଦେଶ ରହିଛି ଯେ କୌଣସି ନାବାଳିକା ବା ନାବାଳକର ଫଟୋ ପ୍ରକାଶ କରାଯାଇପାରିବ ନାହିଁ। ଏଭଳି ସମ୍ବେଦନଶୀଳ ଘଟଣାରେ ସାଇବର କ୍ରାଇମ ବିଭାଗକୁ ଦାୟିତ୍ବ ଦିଆଯାଇଛି।

କିଛି ଦିନ ହେଲା ସୋସିଆଲ ମିଡିଆରେ ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ ସମୟର ଏକ ଭିଡିଓ ଭାଇରାଲ ହୋଇଛି । ଉକ୍ତ ଭିଡିଓଟି ଭୁବନେଶ୍ୱର ଏମ୍ସରେ ପୀଡ଼ିତାଙ୍କ ଚିକିତ୍ସା ସମୟର। ପୀଡ଼ିତା ନାବାଳିକାଙ୍କ ଭିଡ଼ିଓ‌ କିଏ ଏବଂ କାହିଁକି ଭାଇରାଲ କଲା ତାର ଅନୁସନ୍ଧାନ ଚାଲିଛି । ସାଇବର ଟିମ୍ ଏବଂ କ୍ରାଇମବ୍ରାଞ୍ଚର ସହଯୋଗରେ ତଦନ୍ତ କରାଯାଉଥିବା ପୁରୀ ଏସପି କହିଛନ୍ତି ।

ଭାଇରାଲ ଭିଡିଓରେ ଦେଖାଯାଉଛି କି, “ଜଣେ ମହିଳା ପୋଲିସ ଅଧିକାରୀ ନାବାଳିକାଙ୍କ ବୟାନ ରେକର୍ଡ କରୁଛନ୍ତି । ନାବାଳିକା ଚିକିତ୍ସାଧିନ ଅବସ୍ଥାରେ ଥିବା ସମୟରେ ଏହି ବୟାନ ରେକର୍ଡ ହେଉଛି । ତେବେ ଗୋପନୀୟ ଭାବେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଥିଲା । ଏହାକୁ ରେକର୍ଡ କରିବାକୁ ମାତ୍ର କିଛି ପୋଲିସ ଅଧିକାରୀଙ୍କୁ ଅନୁମିତି ମିଳିଥିଲା । ଏପରିକି ମେଡିକାଲ ଷ୍ଟାଫଙ୍କୁ ମଧ୍ୟ ବୟାନ ରେକର୍ଡ ସମୟରେ ନାବାଳିକାଙ୍କ ପାଖକୁ ଯିବାକୁ ଅନୁମତି ନଥିଲା ।” ତେବେ ଏତେ ସୁରକ୍ଷା ଥାଇ ମଧ୍ୟ କିପରି ହେଲା ଭିଡିଓ ଭାଇରାଲ ? କିଏ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରୁଛି ଏବଂ କଣ ରହିଛି ଏହା ପଛରେ କାରଣ ? ଏହି ମାମଲା ଅତ୍ୟନ୍ତ ସମ୍ବେଦନଶୀଳ ମାମଲା ହୋଇଥିବା ବେଳେ ବୟାନ ରେକର୍ଡ ଭିଡିଓ ଗୋପନୀୟ ରହିବା କଥା କିନ୍ତୁ ବର୍ତ୍ତମାନ ମୋବାଇଲରୁ ମୋବାଇଲ ଡେଉଁଛି ଏହି ଭିଡିଓ ।