ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସମ୍ପନ୍ନ ; ସମୂହ ନମାଜ ପାଠ ପରେ ଦିଆଗଲା କବର

ପୁରୀ: ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସମ୍ପନ୍ନ। ସମୂହ ନମାଜ ପାଠ ପରେ ଦିଆଗଲା କବର। ପୀଡ଼ିତାଙ୍କ ଘର ପାଖ ମସଜିଦ ନିକଟରେ ଥିବା ପ୍ରାର୍ଥନାସ୍ଥଳୀରେ ସମସ୍ତେ ଏକତ୍ର ହୋଇ ନମାଜ ପାଠ ପଢିଥିଲେ। ପରେ ପୀଡ଼ିତାଙ୍କ ପାର୍ଥିବ ଶରୀରକୁ ତାଙ୍କ ଘରପଛ ପଟରେ କବର ଦିଆଯାଇଥିଲା । ଏଥିଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଅନ୍ତିମ ସଂସ୍କାର ପୀଡ଼ିତାଙ୍କ ବନ୍ଧୁ ପରିଜନ ସାମିଲ ହୋଇଥିଲେ । ଗତକାଲି ରାତିରେ ପୀଡ଼ିତାଙ୍କ ମୃତଦେହ ଦିଲ୍ଲୀରୁ ଆସି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ଗାଁକୁ ଅଣାଯାଇଥିଲା। ଦିଲ୍ଲୀ ଏମସରେ ପୋଷ୍ଟମର୍ଟମ ସରିବା ପରେ ମରଶରୀରକୁ ବିମାନ ଯୋଗେ ଅଣାଯାଇଥିଲା ଭୁବନେଶ୍ବର । ସେଠାରୁ ପୋଲିସ ସୁରକ୍ଷାରେ ଜନ୍ମମାଟିକୁ ନିଆଯାଇଥିଲା ମୃତଦେହ । ରାତି ପ୍ରାୟ ୧୧ଟାରେ ମର ଶରୀର ପହଞ୍ଚିବା ପରେ ଭୁବନେଶ୍ବର ବିମାନ ବନ୍ଦରରେ ବିଭିନ୍ନ ଦଳର ନେତାମାନେ ଜଣାଇଥିଲେ ଶ୍ରଦ୍ଧାଞ୍ଜଳି।
ସେଠାରୁ ଭୁବନେଶ୍ବର ପୋଲିସ କାରକେଡରେ ତାଙ୍କ ମୃତଦେହ ନିଆଯାଇଥିଲା ଉତ୍ତରା ଛକ ଯାଏ। ସେଠାରୁ ପୁରୀ ପୋଲିସର କାରକେଡ ନେଇଥିଲା ବଳଙ୍ଗା। ମରଶରୀର ଗାଁରେ ପହଞ୍ଚିବା ପରେ ସେଠାରେ ସମ୍ପର୍କୀୟ, ବିଭିନ୍ନ ଦଳର ନେତା, ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ। ମରଶରୀର ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ। ଶେଷରେ ଆଜି ପୀଡ଼ିତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।