ଦେଖି ଦେଖି ଶିଖିଗଲେ ସେନବାରି । ବିଭିନ୍ନ ସାମଗ୍ରୀକୁ ଏଭଳି ବାଲାନ୍ସ କରୁଛନ୍ତି ଦେଖିବା ଲୋକ ଦଣ୍ଡେ ଠିଆହୋଇରହୁଛି ।

ଚାରିଗୋଡ଼ିଆ ଚଉକିକୁ ଆପଣ ଗୋଟେ ଗୋଡରେ ଠିଆ କରାଇପାରିବେ ? ଅଧଲିଟରିଆ ପାଣି ବୋତଲ ଉପରେ ନିଜ ଟିଭିକୁ ରଖିଦେଇପାରିବେ ? ପାରିବେନି ନା । ଏସବୁ ଅତି ଅସମ୍ଭବ କଥା । ଏଭଳି କରିପାରିବେ ପାଲେଷ୍ଟାଇନ୍‌ର ମହମ୍ମଦ ଅଲ ସେନବାରି । ସେ ଏଭଳି ସାମଗ୍ରୀକୁ ବାଲାନ୍ସ କରି ଗୋଟାକ ଉପରେ ଗୋଟେ ରଖିଦେବେ ଯେ, ଦେଖୁଦେଖୁ ଆପଣଙ୍କ ମୁହଁରୁ ହଠାତ୍‌ ବାହାରିପଡ଼ିବ ବାଃରେ ବାଲାନ୍ସ ।

ତଳେ ଦେଖନ୍ତୁ ମହମ୍ମଦ ଅଲ ସେନବାରି କେଉଁସବୁ ଜିନିଷକୁ ବାଲାନ୍ସ କରିଛନ୍ତି । ସେ କୁହନ୍ତି, କୌଣସି ଜିନିଷକୁ ଦେଖିବା ପରେ ତାର ବାଲାନ୍ସ ପଏଣ୍ଟକୁ ପ୍ରଥମେ ଖୋଜନ୍ତି । ବାଲାନ୍ସ ପଏଣ୍ଟକୁ ଠାବ କରିବା ପରେ ନିଜ କାମରେ ଲାଗିପଡ଼ନ୍ତି ଓ ସଫଳତା ହାସଲ କରନ୍ତି । ନିଜା ବୁଦ୍ଧି ଓ ଶରୀର ସହାୟତାରେ ସବୁ ଜିନିଷକୁ ବାଲାନ୍ସ କରିପାରନ୍ତି ବୋଲି ଦାବି କରନ୍ତି ୨୪ ବର୍ଷୀୟ ସେନବାରି ।

ଉତ୍ତର ଗାଜାରେ ରହୁଥିବା ମହମ୍ମଦ ସେନବାରି ପେସାରେ ଜଣେ ଫିଟ୍‌ନେସ କୋଚ୍‌ । ଏହି ପେସା ତାଙ୍କୁ ବିଭିନ୍ନ ଜିନିଷକୁ ବାଲାନ୍ସ କରାଇବାରେ ଅନେକ ସାହାଯ୍ୟ କରିଛି । ଅତି ଅସମ୍ଭବ ଲାଗୁଥିବା କୌଣସି ସାମଗ୍ରୀକୁ ବାଲାନ୍ସ କରିଦେବା ପରେ ତାଙ୍କର ମନୋବଳ ବଢ଼ିଥାଏ । ସେ ପୁଣି ଏକ ଅସମ୍ଭବକୁ ସମ୍ଭବ କରାଇବା କାମରେ ଲାଗିପଡ଼ନ୍ତି ।

ୟୁଟ୍ୟୁବ୍‌ରେ ଏକ ଭିଡିଓ ହିଁ ତାଙ୍କୁ ଏଭଳି କରାଇବାକୁ ପ୍ରେରଣା ଦେଇଛି । କିଛି ବର୍ଷ ତଳେ କୋରିଆ କଳାକାର ନେମ ସେ୍ୟାକ ୟୁନ୍‌ଙ୍କ ଏକ ଭିଡିଓ ଦେଖିଥିଲେ । ତାହା ଦେଖି ସେ ନିଜେ ଏଭଳି କରିବାକୁ ପଣ କରିଥିଲେ ଓ କାମରେ ଆଗେଇ ଚାଲିଥିଲେ । ନିଜର ଏହି କଳାକୁ ସେ କୌଣସି ରିଅଲିଟି ସୋ’ରେ ଦେଖାଇବାକୁ ଚାହାନ୍ତି । ଭବିଷ୍ୟତରେ ଫ୍ରିଜ ବା ଓ୍ୱାଶିଂ ମେସିନ ଭଳି ବଡ଼ ସାମଗ୍ରୀକୁ ବାଲାନ୍ସ କରିବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି ।

Leave a Reply