କାର୍ତ୍ତିକ ମାସ ବାଳଧୂପ ନୀତିକାନ୍ତି ଚୂଡ଼ାନ୍ତ

ପୁରୀ : ଚୂଡ଼ାନ୍ତ ହେଲା କାର୍ତ୍ତିକ ମାସ ବାଳଧୂପ ନୀତିକାନ୍ତି । ଆସନ୍ତା ୧୪ ତାରିଖରୁ ନଭେମ୍ବର ୧୫ ତାରିଖ ପର୍ଯ୍ଯନ୍ତ ଶ୍ରୀଜିଉଙ୍କ କାର୍ତ୍ତିକ ମାସ ବାଳଧୂପ ନୀତି ଅନୁଷ୍ଠିତ ହେବ । ରାଈଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ସ୍ବତନ୍ତ୍ର ନୀତିନିର୍ଘଣ୍ଟ କରାଯାଇଛି । ପ୍ରତିଦିନ ଭୋର ୪ଟାରେ ଦ୍ବାର ଫିଟା ଓ ରାତି ୧୨ଟାରେ ପହୁଡ଼ ହେବ । ଗତକାଲି ବସିଥିବା ଛତିଶାନିଯୋଗ ବୈଠକରେ ଏହି ନୀତିନିର୍ଘଣ୍ଟରେ ମୋହର ବାଜିଛି । ରାଧା ଦାମୋଦର ବେଶ ଆଶ୍ୱିନ ଶୁକ୍ଳ ଏକାଦଶୀରୁ ଆରମ୍ଭ ହୋଇ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହାପରେ ପଞ୍ଚୁକ ଚାଲିବ। ତେବେ ଚଳିତବର୍ଷ ୪ ଦିନ ପଞ୍ଚୁକ ପଡୁଛି । ଏଣୁ ଚଳିତବର୍ଷ ପଞ୍ଚୁକ ସମୟରେ ମହାପ୍ରଭୁଙ୍କର ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ ନାହିଁ । ନଭେମ୍ବର ୧୧ ତାରିଖ ଦିନ ଅବକାଶ ପରେ ମହାପ୍ରଭୁ ହରିହର ଓ ୧୨ ତାରିଖରେ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ସହିତ ହରି ଉତଥାପନ ନୀତି ରହିଛି । ୧୩ରେ ବାଙ୍କଚୁଡ଼ ବା ବାମନ ବେଶ ଥିବାବେଳେ  ଏହିଦିନ ଗରୁଡ଼ ଉତ୍ଥାପନ ନୀତି ମଧ୍ୟ ପଡିଛି । ୧୪ରେ ଡାଳିକିଆ ବା ତ୍ରିବିକ୍ରମ ବେଶ ରହିଥିବା ବେଳେ ଏହା ପରଦିନ ଅର୍ଥାତ୍ ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ହେବା କଥା । ମାତ୍ର ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଘଟିଛି । ତେଣୁ ଏଥର ଲକ୍ଷ୍ମୀନୃସିଂହ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ପଞ୍ଚୁକର ଶେଷ ଦିନ ଅର୍ଥାତ୍ ନଭେମ୍ବର ୧୫ରେ ମହାପ୍ରଭୁଙ୍କ ସୁନାବେଶ ତଥା ରାଜାଧିରାଜ ବେଶ ଅନୁଷ୍ଠିତ ହେବ । ଦୀପାବଳି ଅମାବାସ୍ୟାଠାରୁ ପଞ୍ଚୁକ ମଧ୍ୟରେ ସୋମବାର ପଡିଲେ ବଡ଼ ଠାକୁରଙ୍କ ବାଡ଼ରେ ହରିହର ବେଶ ହେବାର ବିଧି ରହିଛି । ଏହାଛଡ଼ା ଭକ୍ତ ଏବଂ ହବିଷ୍ୟାଳୀଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ସେହିପରି ବାଳଭୋଗ, ଠିକ୍ ସମୟରେ ମହାପ୍ରସାଦ ବାହାରିବା ଏବଂ ପଞ୍ଚୁକରେ ଭିଡ଼ ନିୟନ୍ତ୍ରଣ ଉପରେ ଆଲୋଚନା କରାଯାଇଛି ।