BaLA ମଡେଲରେ ପ୍ରସ୍ତୁତ ହେଉଛି ଅଙ୍ଗନଓ୍ୱାଡି କେନ୍ଦ୍ର: ଅଧିକ ଆକର୍ଷିତ ହେବେ ପିଲାମାନେ

ସୁନ୍ଦରଗଡ଼: ଆନନ୍ଦମୟ ପରିବେଶ ଭିତରେ ଶିକ୍ଷାଦାନ ଲାଗି ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ଅଧିକ ଆକର୍ଷଣୀୟ କରାଯାଉଛି । ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ବାଲା ମଡେଲରେ ଉନ୍ନତିକରଣ କରାଯାଉଛି । ଏହି ନୂତନ ଢାଞ୍ଚାରେ ତିଆରି ହେଉଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପିଲାମାନଙ୍କୁ ଅଧିକ ଆକର୍ଷିତ କରିବା ସହ ବିଭିନ୍ନ ସୃଜନାତ୍ମକ କାର୍ଯ୍ୟକଳାପ ମାଧ୍ୟମରେ ସେମାନଙ୍କ ଶାରୀରିକ ଓ ବୌଦ୍ଧିକ ବିକାଶରେ ବିଶେଷ ସହାୟକ ହେଉଛି।

ସୁନ୍ଦର ଦିଶୁଛି ସୁନ୍ଦରଗଡ଼ର ଅଙ୍ଗନଓ୍ୱାଡ଼ି କେନ୍ଦ୍ର । ‘ବାଲା ମଡେଲ’ ଢାଞ୍ଚାରେ ରୂପାନ୍ତରିତ ହେଉଛି ଗୃହ । ରାଜ୍ୟ ସରକାରଙ୍କ ଦ୍ୱାରା ସ୍କୁଲ ପରେ ଏବେ ରୂପାନ୍ତରଣ ହେଉଛି ସମସ୍ତ ଅଙ୍ଗନବାଡିକେନ୍ଦ୍ର । ଜିଲ୍ଲାର ୭ଶହ ଅଙ୍ଗନବାଡ଼ି କେନ୍ଦ୍ରକୁ ‘ରୂପାନ୍ତରିତ କରାଯାଇଛି । ଜିଲ୍ଲାର ସମସ୍ତ ୩ ହଜାର ୮ ଶହ ଅଙ୍ଗନବାଡ଼ି କେନ୍ଦ୍ରକୁ ରୂପାନ୍ତରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ନୂତନ ଢାଞ୍ଚାରେ ତିଆରି ହେଉଥିବା ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ପିଲାମାନଙ୍କୁ ଅଧିକ ଆକର୍ଷିତ କରୁଛି । ବିଭିନ୍ନ ସର୍ଜନାତ୍ମକ କାର୍ଯ୍ୟକଳାପ ମାଧ୍ୟମରେ ସେମାନଙ୍କ ଶାରୀରିକ ଓ ବୌଦ୍ଧିକ ବିକାଶରେ ବିଶେଷ ସହାୟକ ହେଉଛି । ଅଙ୍ଗନବାଡ଼ି ଆସୁଥିବା ପିଲାମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ଏକ ସ୍ବତନ୍ତ୍ର କିଟ୍ ମଧ୍ୟ ବ୍ୟବସ୍ଥା କରିଛି । ଏହି ଆଧୁନିକ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଫଳରେ ଜିଲ୍ଲାର ଶିଶୁମାନଙ୍କ ସହ ଗର୍ଭବତୀ ଓ ପ୍ରସୂତି ମା’ମାନେ ବିଶେଷ ଉପକୃତ ହୋଇ ପାରୁଛନ୍ତି।

ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର କାନ୍ଥ, ଛାତ, ଚଟାଣ, ହତା ଓ ପାଚେରିକୁ ବିଭିନ୍ନ ରଙ୍ଗିନ ଚିତ୍ର ଓ ରୂପ ଦିଆଯାଉଛି। କେନ୍ଦ୍ରର ହତା ଭିତରେ ଦୋଳି ଓ ସ୍ୟାଣ୍ଡ ପିଟ୍ ସହ ମା’ ଓ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା ହୋଇଛି ସେହିପରି ପିଲାମାନଙ୍କ ପୋଷଣକୁ ସୁନିଶ୍ଚିତ କରିବା ପାଇଁ ‘ମୋ ବଗିଚା’ କରାଯାଉଛି । ଗର୍ଭବତୀ ମହିଳା ଓ ପ୍ରସୂତି ମା’ମାନଙ୍କ ନିର୍ଦ୍ଧାରିତ ପରୀକ୍ଷା, କାଉନସେଲିଂ, ଟିକାକରଣ ଓ ପୋଷଣ ଭଳି ସେବା ପାଇବା ପାଇଁ ବାଲା ମଡେଲ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ସ୍ୱତନ୍ତ୍ର ‘ମମତା ଗୃହ’ର ବ୍ୟବସ୍ଥା କରାଯାଉଛି ।