ବାଦଶାହ ଖାନଙ୍କର ‘ପଠାନ’ର ପ୍ରମୋଶନରେ ଆରମ୍ଭ ହେଲା ଭଙ୍ଗାରୁଜା ସହ ଜୋରସୋର ହଙ୍ଗାମା

1 min read

ଅହମ୍ମଦାବାଦ : ବିବାଦ ସତେ ଯେପରି ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ର ପିଛା ଛାଡୁନି ।  ବୁଧବାର ଦିନ ଗୁଜୁରାଟର ଅହମ୍ମଦାବାଦର ଏକ ମଲ୍ଟିପ୍ଲେକ୍ସରେ ପଠାନର ପ୍ରମୋଶନ ଚାଲିଥିବା ବେଳେ ହୋଇଛି ହଙ୍ଗାମା । ବଜରଙ୍ଗ ଦଳର କର୍ମୀ ହଲ ଭିତରେ ପୋଷ୍ଟର ଫାଡ଼ି ହଙ୍ଗାମା କରିଥିଲେ  । ମଲ ଭିତରକୁ ଜୋର ଜବରଦସ୍ତି ପଶି ଦଳୀୟ କର୍ମୀମାନେ ପ୍ରଥମେ ପୋଷ୍ଟର ଫାଡିବା ପରେ  ଥିଏଟର ଭିତରେ ଭଙ୍ଗାରୁଜା କରିଥିଲେ । ଏହା ସହିତ ଫିଲ୍ମକୁ ରିଲିଜ ନକରିବା ପାଇଁ ଖୁଲମଖୁଲା ଧମକ ଦେଇଛନ୍ତି ।

ଅହମ୍ମଦାବାଦର ଆଲଫାଓ୍ବାନ ମଲରେ ଥିବା ମଲ୍ଟିପ୍ଲେକ୍ସରେ ଫିଲ୍ମ ପଠାନର ପ୍ରମୋଶନକୁ ରୋକିବା ସହ ଏହାକୁ ବିରୋଧ କରିବା ପାଇଁ ବୁଧବାର ଦିନ ମଲରେ  ପହଂଚିଥିଲେ ବଜରଙ୍ଗ ଦଳର କର୍ମୀ । ଏସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣସ୍ଥଳରେ ପହଂଚି ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ପାଂଚ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଥାନାରେ ଅଟକ ରଖିଥିଲା । ତେବେ ଅଟକ ବ୍ୟକ୍ତିଙ୍କୁ  ପରେ ପୋଲିସ ତାଙ୍କୁ ଛାଡି ଦେଇଥିବା ଜଣାପଡିଛି ।

ଅନ୍ୟପଟେ ପୁଣି ଭିଏଚପିର ମୂଖ୍ୟ ହିତେନ୍ଦ୍ର ସିଂ ରାଜପୁତ କହିଛନ୍ତି, ଗୁଜୁରାଟରେ ପଠାନର ସ୍କ୍ରିନିଂକୁ ଆମେ କେବେ ବି ଅନୁମତି ଦେବୁନି । ଏହା ସହ ସେମାନେ ଅହମ୍ମଦାବାଦଠାରେ ପଠାନ ଫିଲ୍ମର ରିଲିଜକୁ ଜୋରଦାର ବିରୋଧ କରିବେ ବୋଲି ଧମକ ମଧ୍ୟ ଦେଇଛନ୍ତି ।

ଏଠାରେ ଆମେ କହିପାରିବା ୨୦୨୩ ବର୍ଷରେ ୟଶରାଜ ବ୍ୟାନରରେ ନିର୍ମିତ ଏହି ଚର୍ଚ୍ଚିତ ‘ପଠାନ’ ଫିଲ୍ମକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଫିଲ୍ମ ‘ପଠାନର ରିଲିଜ ହୋଇଥିବା ବେସରମ ଗୀତରେ ଦୀପିକାଙ୍କ ଗେରୁଆ ରଙ୍ଗର ବିକିନି କଷ୍ଟ୍ୟୁମକୁ ହିନ୍ଦୁତ୍ୱବାଦୀ ବିରୋଧ କରୁଛନ୍ତି ।