ୱେବ୍ ସିରିଜ `ଆଶ୍ରମ’ ଝଡ଼, ଫିଲ୍ମ ନିର୍ମାତା ପ୍ରକାଶ ଝାଙ୍କ ମୁହଁରେ କଳା ବୋଳିଲେ ବଜରଙ୍ଗ ଦଳ କର୍ମୀ

1 min read

ମୁମ୍ବାଇ:  ଫିଲ୍ମ ନିର୍ମାତା ପ୍ରକାଶ ଝାଙ୍କ ଉପରେ ବଜରଙ୍ଗ ଦଳର ଆକ୍ରମଣ । ତାଙ୍କ ମୁହଁରେ କଳା ବୋଳିବା ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଛନ୍ତି କର୍ମୀ । ମଧ୍ୟପ୍ରଦେଶର ଭୋପାଳରେ ଏକ ଓ୍ବେବ୍‌ସିରିଜର ସୁଟିଂ ସେଟ୍‌କୁ ଭାଙ୍ଗିଦେଇଛନ୍ତି ବଜରଙ୍ଗ ଦଳ । ଏହା ସହ ସୁଟିଂ ସେଟରେ ଥିବା କିଛି କର୍ମଚାରୀଙ୍କ ଉପରେ ମଧ୍ୟ ସେମାନେ ଆକ୍ରମଣ କରିଛନ୍ତି । ବଜରଙ୍ଗ ଦଳର କର୍ମୀଙ୍କ ଅଭିଯୋଗ ହେଲା- ପ୍ରକାଶ ଝାଙ୍କ ଦ୍ବାରା ନିର୍ମିତ ହେଉଥିବା ଓ୍ବେବ ସିରିଜ `ଆଶ୍ରମ’ ହିନ୍ଦୁ ଭାବନା ଉପରେ କୁଠାରାଘାତ କରୁଛି ।

ଏହି ସିରିଜର ନାଁ ପରିବର୍ତ୍ତନ କରିବାକୁ ସେମାନେ ଦାବି କରିଛନ୍ତି । ଏହି ସିରିଜରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ବବି ଦେଓଲ । ଭୋପାଳର ପୁରୁଣା ଜେଲ ପରିସରରେ ଏହି ଓ୍ବେବସିରିଜ ସୁଟିଂ ହେଉଥିବାବେଳେ କର୍ମୀମାନେ ଆକ୍ରମଣ କରିଥିଲେ । ଏହି ସିରିଜରେ ଜଣେ ଧାର୍ମିକ ଗୁରୁଙ୍କ ଦ୍ବାରା ମହିଳା କିପରି ଶୋଷଣର ଶିକାର ହେଉଛନ୍ତି ତାହା ଦର୍ଶାଯାଇଛି ।

ଏହାକୁ ବଜରଙ୍ଗ ଦଳର କର୍ମୀମାନେ ବିରୋଧ କରିଥିଲେ । ଜେଲ ପରିସରରେ ସୁଟିଂ ଲାଗି ନିର୍ମିତ ତିନିଟି ଆଶ୍ରମରେ କର୍ମୀମାନେ ଭଙ୍ଗାରୁଜା କରିବା ସହ ପ୍ରକାଶ ଝା ଓ ବବି ଦେଓଲଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଏହି ଘଟଣାରେ ପୋଲିସ କିଛି ବଜରଙ୍ଗୀ କର୍ମୀଙ୍କୁ ଗିରଫ କରିଛି । ଗତ 2017ରେ ମଧ୍ୟ କରଣୀ ସେନାର କର୍ମୀମାନେ ପଦ୍ମାବତ୍‌ ସିନେମାର ସୁଟିଂ ବେଳେ ଏହାର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲିଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ ।

Leave a Reply