ବିପଦ ସଙ୍କେତ ଉପରେ ପ୍ରବାହିତ ବୈତରଣୀ ଜଳସ୍ତର

କେନ୍ଦୁଝର: ଲଗାଣ ବର୍ଷାରେ ଫୁଲୁଛି ବୈତରଣୀ । କେନ୍ଦୁଝର ଆନନ୍ଦପୁର ଠାରେ ନଦୀ ଜଳ ପତ୍ତନ ବଢିବାରେ ଲାଗିଛି । ସତର୍କ ସଂକେତ ୩୭.୪୪୫ ମିଟର ରହିଥିବାବେଳେ ବିପଦ ସଂକେତ ରହିଛି ୩୮.୩୬୦ମିଟର । ଆଜି ଦିନ ଗୋଟାଏ ଠାରୁ ଦ୍ରୁତଗତିରେ ବଢିବାରେ ଲାଗିଥିଲା ଜଳସ୍ତର । ସଂନ୍ଧ୍ଯା ୬ଟା ସୁଦ୍ଧା ସତର୍କ ସଂକେତ ପାରିକରିଛି ଜଳସ୍ତର ।
ନଦୀର ଜଳସ୍ତର କ୍ରମାଗତ ବଢୁଥିବାରୁ ତଳ ମୁଣ୍ଡରେ ବନ୍ୟା ଆଶଙ୍କା ବଢିଛି । କେନ୍ଦୁଝର ଜିଲ୍ଲାରେ ଯୋଡା, ବଡବିଲ ସହିତ ଚମ୍ପୁଆରେ ଗତକାଲି ଠାରୁ ବର୍ଷା ଜାରି ରହିଛି । ମୟୁରଭଞ୍ଜ ଜିଲ୍ଲା ଦେଓରେ ୫ଟି ଗେଟ୍ ଖୋଲା ଯାଇଥିବାରୁ ବୈତରଣୀରେ ବନ୍ୟା ସ୍ଥିତି ଦେଖାଦେଇଛି । ଗୋଟେପଟେ ଯଦିବା ହିରାକୁଦରେ ଗେଟ୍ ସଂଖ୍ୟା କମିଛି କିନ୍ତୁ ଏପଟେ ବୈତରଣୀ ଫୁଲିବାରେ ଲାଗିଛି ।