ବୈତରଣୀ ବନ୍ୟାରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ୧୦ ପଞ୍ଚାୟତ ଭାସିଯିବା ନେଇ ଆଶଙ୍କା !

ନନ୍ଦିଘୋଷ ବ୍ୟୁରୋ: ଏଥର ବୈତରଣୀ ବନ୍ୟାରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ୧୦ ପଞ୍ଚାୟତ ଭାସିଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ହଜାର ହଜାର ଚାଷ ଜମି ସହ ଘରଦ୍ଵାର ଓ ରାସ୍ତାଘାଟ ଧୋଇଯିବା ନେଇ ଆଗୁଆ ପ୍ରମାଦ ଗଣିଲେଣି ନଦୀକୂଳିଆ। ଅଧାପନ୍ତରିଆ ଗୌରାଙ୍ଗପୁର ଓ ମଲ୍ଲୀ ମାହାରା ଏସକେପ ଅର୍ଥାତ ନଦୀର ବନ୍ୟା ଜଳ ନିଷ୍କାସନର ପଥକୁ ନେଇ ନଦୀକୂଳିଆ ଚିନ୍ତାରେ । କଣ ରହିଛି ପ୍ରକୃତ ସ୍ଥିତି କାହିଁକି ଏପରି ଆଶଙ୍କା ।

ସାରା ରାଜ୍ଯକୁ ଛୁଇଁଲାଣି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆରମ୍ଭ ହୋଇଯିବ ବର୍ଷା । ପ୍ରବଳ ବର୍ଷା ହେବା କ୍ଷଣି ବୈତରଣୀ ନଦୀରେ ରହିଛି ବନ୍ଯା ଆଶଙ୍କା । ପୂର୍ବରୁ ପ୍ରାୟ ଜୁଲାଇ ଶେଷ ସପ୍ତାହ ଓ ଅଗଷ୍ଟ ପ୍ରଥମ ସପ୍ତାହରେ ବୈତରଣୀରେ ବନ୍ୟା ଆସିଥାଏ । ଏଥର କିନ୍ତୁ ବୈତରଣୀରେ ବନ୍ୟା ଆସିଲେ  ଧାମନଗର ବ୍ଲକର ୧୦ ପଞ୍ଚାୟତ ଭାସିଯିବା ନେଇ ଆଶଂକା ଦେଖାଦେଇଛି ।

ଅଧାପନ୍ତରିଆ ଗୌରାଙ୍ଗପୁର ଓ ମଲ୍ଲି ମାହାରା ଏସକେପକୁ ନେଇ ନଦୀକୂଳିଆ  ଚିନ୍ତାରେ ପଡିଯାଇଛନ୍ତି । ଆଗରୁ ଏସକେପ୍ ଉଚ୍ଚାଥିଲା । ବଡ଼ ବନ୍ୟା ହେଲେ ଏସକେପ୍ ବାଟେ ପାଣି ପଶୁଥିଲା। ଆଖୁଆପଦା ଠାରେ ୧୮.୬୦ ମିଟର ବନ୍ୟା ହେଲେ ଏସକେପ୍ ବାଟେ ପାଣି ପଶୁଥିଲା। ଏବେ ୧୭.୮୫ ମିଟର ବନ୍ୟାରେ ବି ପାଣି ପଶିଯିବ। ଗୌରାଙ୍ଗପୁର ଓ ମଲ୍ଲି ମାହାରା ଏସକେପ ଉପରେ ଫୁଟ୍ ଓଭର ବ୍ରିଜ ନିର୍ମାଣ କରାଯାଉଥିବାରୁ ସ୍ଥିତି ଏଭଳି ଉପୁଜିଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ସୋହଡ଼ା, ଜୟନ୍ତରା ଓ ପିତେଇପୁର ମଧ୍ୟରେ ଯାତାୟାତ ସୁବିଧା ଲାଗି ଏହି ଏସକେପ୍ ଉପରେ ପୋଲ କରିବାକୁ ଦାବି ହୋଇ ଆସୁଥିଲା। ଗତବର୍ଷ ଅଗଷ୍ଟ ମାସରେ ଆସିଥିବା ବନ୍ଯାରେ ଗୌରାଙ୍ଗପୁର ଏସକେପର ପ୍ରୋଟେକସନ ୱାଲ ଭୁଶୁଡ଼ି ପଡ଼ିଥିଲା। ଉଭୟ ପାର୍ଶ୍ବରେ ଥିବା ଆବଟମେଣ୍ଟ ୱାଲ ଗଳି ପଡ଼ିବାରୁ ଘାଇ ହୋଇଥିଲା। ବନ୍ୟା ଛାଡ଼ିବା ପରେ ପରେ ଜଳ ସଂପଦ ବିଭାଗ ପକ୍ଷରୁ ଫ୍ଲଡ ଡ୍ୟାମେଜ ରିପେଆରିଂ ବାବଦରେ ଜରୁରୀ ପାଣ୍ଠିରେ ଏହି ଏସକେପର ଉପର ପାର୍ଶ୍ବରେ ଗୋଟିଏ ମାଟିବନ୍ଧ କରାଗଲା।

ଏ ବାବଦରେ ପ୍ରାୟ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏବେ ଏସକେପ୍ ମଝି ଭାଗରେ ପାଇଲିଂ କାମ କରାଯାଇଛି। ବେସ୍ ଓ ପିଲର ଆରମ୍ଭ ହେଲା ବେଳେକୁ ଆହୁରି ଅନେକ ସମୟ ଲାଗିଯିବ ବୋଲି ଅନୁମାନ କରାଯାଉଛି। ତା ଭିତରେ ବନ୍ୟା ଆସିଲେ ସମସ୍ୟା ଉପୁଜିବା ଆଶଙ୍କା ରହିଛି। ଯଦି ନିକଟରେ ବନ୍ୟା ଆସିବ ତେବେ ଏସକେପ ମୁହଁ ମୁକୁଳା ଥିବାରୁ ହଜାର ହଜାର ଚାଷ ଜମି ସହ ଘର ଦ୍ବାର ଓ ରାସ୍ତା ଘାଟ ନଷ୍ଟ ହେବ। ଏପରିକି ବନ୍ୟାରେ ଭାସିବ ଧାମନଗର । ଏ ଦିଗରେ ତୁରନ୍ତ ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି ନଦୀକୂଳ ବାସିନ୍ଦା । ସେପଟେ ବନ୍ଯା ପୂର୍ବରୁ ନିର୍ମାଣ କାର୍ଯ୍ଯ ସାରିବାକୁ ଲକ୍ଷ୍ଯ ରଖାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ।