ବଢ଼ୁଛି ବୈତରଣୀ ଏବଂ ଜଳକା ନଦୀର ଜଳସ୍ତର

ନନ୍ଦିଘୋଷ ବ୍ୟୁରୋ : ବଢୁଛି ବୈତରଣୀ ନଦୀର ଜଳସ୍ତର । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢୁଛି ବୈତରଣୀ ନଦୀର ଜଳସ୍ତର । ଭଦ୍ରକ ଆଖୁଆପଦା ଆନିକଟ ନିକଟରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀର ଜଳସ୍ତର । ନଦୀର ବିପଦ ସଂକେତ 17 ଦଶମିକ 83 ମିଟର ଥିବା ବେଳେ ଏବେ 17 ଦଶମିକ 91 ମିଟର ଉପରେ ବନ୍ୟାଜଳ  ପ୍ରବାହିତ ହେଉଛି । ଦୁଇଦିନ ହେବ ଲଗାଣ ବର୍ଷା ହେବା ଫଳରେ ବୈତରଣୀ ନଦୀର ଜଳସ୍ତର ବଢିବାରେ ଲାଗିଛି । ଯାହାଫଳରେ ବୈତରଣୀରେ ବନ୍ୟା ଆଶଙ୍କା କରାଯାଉଛି ।

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢୁଛି ଜଳକା ନଦୀର ଜଳସ୍ତର । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ମଥାନୀରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ଏବେ ଜଳସ୍ତର ବୃଦ୍ଧି ପାଇ ୬.୩୩ ମିଟର ଉପରେ ପ୍ରବାହିତ ହେଉଛି । ବର୍ଷା ଲାଗି ରହିଥିବା ବେଳେ ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ଅଧିକ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ଯା ଆଶଙ୍କା ପାଇଁ ଭୟଭୀତ ଅଛନ୍ତି ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ । ଜଳକା ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର । ଲଘୁଚାପ ସକ୍ରିୟ ଥିବାରୁ ଆହୁରି ଦୁଇଦିନ ବର୍ଷା ହେବ ବୋଲି ସୂଚନା ଥିବାରୁ ବନ୍ୟା ଆଶଙ୍କା କରାଯାଉଛି । ଯଦି ବନ୍ୟା ହୁଏ, ତେବେ ବସ୍ତା ଏବଂ ସଦର‌ ବ୍ଲକର ପାଖାପାଖି ୧୨ଟି ପଞ୍ଚାୟତର ଚାଷ କ୍ଷତି ହେବାର ଆଶଙ୍କା କରାଯାଉଛି ।