ଅମ୍ପାନ ଭିତରେ ରାଜନୀତି : ବାତ୍ୟା ସହ ମହିଳାଙ୍କ ମୃତ୍ୟୁକୁ ଯୋଡ଼ିଲେ ବୈଜୟନ୍ତ,ପରେ ନେଲେ ୟୁଟର୍ଣ୍ଣ !

ଭୁବନେଶ୍ୱର: ଅମ୍ଫାନ ପ୍ରକୋପ କମିନି । ଓଡ଼ିଶା ଅମ୍ପାନ ବିରୋଧରେ ଯୁଦ୍ଧ ଲଢୁଛି । ଶତାବ୍ଦୀର ସବୁଠୁ ବଡ଼ ବାତ୍ୟା ବୋଲି କୁହାଯାଉଥିବା ଅମ୍ଫାନ ବିରୋଧରେ ସାଧାରଣ ଲୋକଙ୍କଠାରୁ ପ୍ରଶାସନ ସମସ୍ତେ ନିଜ ନିଜ ସ୍ତରରେ ଯୁଦ୍ଧ ଲଢୁଛନ୍ତି । କିନ୍ତୁ ବାତ୍ୟାର ବେଗ ବଢୁଥିବା ସହ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ଅଣ୍ଟା ଭିଡିଥିବା ପ୍ରଶାସନକୁ ନିରୁତ୍ସାହିତ କରିବା ଭଳି ଗୁଜବ ଉଡ଼ାଯାଉଛି ଜଣାଶୁଣା ନେତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ । ଆଜି ବାତ୍ୟାର ଗତି ଓ ବେଗକୁ ନେଇ ଆଲୋଚନା ଚାଲିଥିବା ବେଳେ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ଗୋଟିଏ ଟ୍ୱିଟ୍ ଏଭଳି ପ୍ରଶ୍ନ ଉଠାଇଛି ।

ବୈଜୟନ୍ତ ପଣ୍ଡା ବାତ୍ୟା ଅମ୍ଫାନ କାରଣରୁ କେନ୍ଦ୍ରାପଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ବୋଲି ଟ୍ୱିଟ୍ କରିଥିଲେ । ଯଦିଓ ସେମିତି କିଛି ଘଟିନଥିଲା । ବୈଜୟନ୍ତ ଟୁଇଟ୍‌ କରି କେନ୍ଦ୍ରପାଡ଼ା ଜିଲ୍ଲା ସାତଭାୟାର କୋଇଲି ବେହେରା ନାମକ ୫୭ ବର୍ଷୀୟା ମହିଳା ପ୍ରାଣ ହରାଇଥିବା ଉଲ୍ଲେଖ କରିଥିଲେ ।  ମହିଳା ଜଣଙ୍କ ବାତ୍ୟା ଆଶ୍ରୟସ୍ଥଳୀକୁ ନଯାଇ ଘରେ ଥିଲେ । ତାଙ୍କ ନାଁ କୋଇଲି ବେହେରା ବୋଲି ବୈଜୟନ୍ତ ଟ୍ୱିଟରେ ଉଲ୍ଲେଖ କରିଥିଲେ । କେବଳ ଏତିକି ନୁହେଁ,ମହିଳାଙ୍କ ମୃତ୍ୟୁ ସମ୍ପର୍କରେ ଜାଣିବା ପାଇଁ ସେ  ଜିଲ୍ଲାପାଳଙ୍କୁ ଫୋନ୍‌ କରିଥିଲେ ବୋଲି ମଧ୍ୟ ଉଲ୍ଲେଖ କରିଥିଲେ । ଜିଲ୍ଲାପାଳଙ୍କୁ  ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ  ସେ ଅନୁରୋଧ କରିଥିବା କଥା  ଟୁଇଟର ହ୍ଵାଣ୍ଡେଲ୍‌ରେ ଉଲ୍ଲେଖ କରିଥିଲେ ବୈଜୟନ୍ତ । ଏପରିକି ଏକ ଟିଭି ଚ୍ୟାନେଲ୍‌ରେ ମଧ୍ୟ ବ୍ରେକିଂ ଖବର ଆକାରରେ ଏହାକୁ ପ୍ରସାରିତ କରାଯାଇଥିଲା ।

ମହିଳା ଜଣକ ଝାଟିମାଟି ଘରେ ରହୁଥିଲେ ବୋଲି ମଧ୍ୟ ଖବରରେ ପ୍ରସାରିତ ହୋଇଥିଲା । ତେବେ ପରେ ଏହା ସଂପୂର୍ଣ୍ଣ ମିଛ ବୋଲି ଜଣା ପଡ଼ିଥିଲା । ମହିଳା ଜଣକ କୈାଣସି ଝାଟିମାଟି ଘରେ ରହୁନଥିଲେ । ସେ ଏକ ପକ୍କା ଘରେ ରହୁଥିଲେ । ଏପରିକି ସେ ବାତ୍ୟାରେ ଜୀବନ ହାରି ନାହାନ୍ତି, ବରଂ ଅସୁସ୍ଥତା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲାପାଳ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ଖବର ପାଇବା ପରେ ପ୍ରଶାସନ ତୁରନ୍ତ ତାଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ୧୨ ହଜାର ଟଙ୍କା ପ୍ରଦାନ କରିଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଟ୍ୱିଟ୍ ପରେ ବୈଜୟନ୍ତ ୟୁଟର୍ଣ୍ଣ ନେଇଥିଲେ । ଜିଲ୍ଲାପାଳଙ୍କ ଟ୍ୱିଟ୍ ଉପରେ ସେ ସହମତି ପ୍ରଦାନ କରିଥିଲେ । ଏବେ ପ୍ରଶ୍ନ ଉଠୁଛି ବୈଜୟନ୍ତଙ୍କ ଭଳି ପୁରୁଖା ନେତା ବାତ୍ୟା ପରିସ୍ଥିତିରେ ଏମିତି ମିଛ କଥାକୁ କେମିତି ଟ୍ୱିଟ୍ କଲେ ? ଟ୍ୱିଟ୍ କରିବା ପୂର୍ବରୁ ତାଙ୍କ ପାଖରେ କ’ଣ ଏନେଇ କୌଣସି ପକ୍କା ସୂଚନା ନଥିଲା କି ? ସେ ଯଦି ଜିଲ୍ଲାପାଳଙ୍କ ସହ କଥା ହୋଇଥିଲେ ତେବେ ଜିଲ୍ଲାପାଳ ପରେ କେମିତି କହିଲେ ଯେ, ମହିଳାଙ୍କ ମୃତ୍ୟୁ ଅସୁସ୍ଥତା କାରଣରୁ ହୋଇଛି ? ବାତ୍ୟା ଭଳି ସଂଗୀନ ପରିସ୍ଥିତିରେ ଏଭଳି ଟ୍ୱିଟ୍ କଣ ଗୁଜବ ଭିତରେ ଯିବ ନାହିଁ ?

 

 

Leave a Reply