ଶ୍ରୀମନ୍ଦିରରେ ତିନି ରଥ: ସାରିଲେ ଲୀଳାଖେଳା, ବାହୁଡ଼ିଗଲେ ବାହୁଡ଼ାବ୍ରହ୍ମ

1 min read

ପୁରୀ: ବାହୁଡ଼ିଲେ ମହାବାହୁ ।  ଜନ୍ମବେଦିରେ ଲୀଳାଖେଳା ସାରି ଶ୍ରୀମନ୍ଦିର ପହଁଚିଗଲେ  ଚତୁର୍ଦ୍ଧାମୂର୍ତ୍ତି ।  ଶ୍ରୀକ୍ଷେତ୍ରରେ ପ୍ରବଳ ବର୍ଷା ସ୍ୱତେ ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ ଲାଗି ଯାଇଛି  ।  ଶ୍ରୀଗୁଣ୍ଡିଚା ଯାତ୍ରା ପରି ବାହୁଡା ଯାତ୍ରା ମଧ୍ୟ ଏଥର ସଅଳ ହୋଇଛି । ରଥଟଣାରେ ଏଥର କଡ଼ାକଡ଼ି ପାଳନ କରାଯାଇଥିଲା କୋଭିଡ୍‌ ନିୟମ । ପୁରୀରେ ଜାରି କରାଯାଇଥିବା କର୍ଫ୍ୟୁ କୋହଳ କରାଯାଇଛି । କିନ୍ତୁ ଶ୍ରୀମନ୍ଦିର ଆଖପାଖରେ ନୀଳାଦ୍ରିବିଜେ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ।

ସୁଦର୍ଶନଙ୍କ ପରେ ଆଗରେ ବଡ଼ଭାଇ ବଳଭଦ୍ର, ପଛରେ ଭଉଣୀ ସୁଭଦ୍ରା ଓ ଶେଷରେ ଜଗା କାଳିଆ । ଘଣ୍ଟଘଣ୍ଟା, କାହାଳୀ ହରିବୋଲ, ଜୟ ଜଗନ୍ନାଥ ଧ୍ବନି ମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ଦେଇ ପହଣ୍ଡିରେ ରଥକୁ ବିଜେ କରିଥିଲେ ଚତୁର୍ଦ୍ଧା ମୂର୍ତ୍ତି । ତିନି ରଥରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିଥିଲେ । ଚାରମାଳ ଫିଟା ପରେ ଆରମ୍ଭ ହୋଇଥିଲା ରଥଟଣା । ସେପଟେ ତିନି ରଥ- ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷକୁ ନିର୍ଦ୍ଦିଷ୍ଟ ସେବାୟତମାନେ କ୍ରମାନ୍ବୟରେ ଶ୍ରୀମନ୍ଦିର ଆଡ଼କୁ ଭିଡ଼ି ନେଇଥିଲେ ।

ମାଉସୀ ମା’ ମନ୍ଦିର ପାଖରେ ମହାପ୍ରଭୁଙ୍କୁ ପୋଡ଼ପିଠା ଲାଗି କରାଯାଇଥିଲ । ଶ୍ରୀନଅର ନିକଟରେ ଗଜପତି ଲକ୍ଷ୍ମୀ -ନାରାୟଣ ଭେଟ କରାଇଥିଲେ । କୋଭିଡ୍‌ ନିୟମ ପାଳନ ପୂର୍ବକ ରଥ ଟଣା ଯାଇଥିଲା । ବଡ଼ଦାଣ୍ଡରେ ଭକ୍ତ ନଥିଲେ । କେବଳ ଥିଲେ ସୀମିତ ସେବାୟତ । ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଅନ୍ୟପଟେ ଆସନ୍ତାକାଲି ରଥ ଉପରେ ଶ୍ରୀଜିଉଙ୍କର ସୁନାବେଶ, ତା’ ପରଦିନ ଅଧରପଣା ଓ ତା’ ପରଦିନ ନୀଳାଦ୍ରିବିଜେ ନୀତି ସମ୍ପନ୍ନ ହେବ ।

Leave a Reply