ଜନ୍ମ ବେଦୀରୁ ରତ୍ନ ବେଦୀକୁ ହେବ ନବଦିନାତ୍ମକ ଯାତ୍ରା, କଡ଼ା କର୍ଫ୍ୟୁ ଭିତରେ ବାହୁଡ଼ିବେ ମହାପ୍ରଭୁ

ପୁରୀ: ବାହୁଡ଼ିବେ ଚତୁର୍ଦ୍ଧା ମୂରତି । ଶରଧାବାଲିରୁ ସିଂହ ଦୁଆର ସାମ୍ନାକୁ ଲେଉଟି ଆସିବେ ମହାପ୍ରଭୁ । ସବୁ ଲିଳାଖେଳା ସାରି ଜନ୍ମ ବେଦୀରୁ ରତ୍ନ ବୋଦୀକୁ ହେବ ବାହୁଡ଼ା ଯାତ୍ରା । ତିନି ରଥ ଶରଧାବାଲିରେ ପ୍ରସ୍ତୁତ ରହିଛି  । ମହାପ୍ରଭୁଙ୍କ ରଥ ଉପରକୁ ବିଜେ ନେଇ ରଥରେ ଚାରମାଳ ଜୋଖା ସରିଛି । ଖାଲି ଅପେକ୍ଷା କେତେବେଳେ ମହା ବିଗ୍ରହ ରଥାରୂଢ଼ ହେବେ ଆଉ ଆରମ୍ଭ ହେବ ବାହୁଡ଼ା ଯାତ୍ରା । ଧାଡ଼ି ପହଣ୍ଡିରେ ତିନି ରଥକୁ ବିଜେ କରିବେ ଚତୁର୍ଦ୍ଧା ମୂରତି ।

ଆଜି ସକାଳୁ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ନୀତି ସଂପନ୍ନ ହେବା ପରେ ମହାପ୍ରଭୁଙ୍କ ଗୋପାଳ ବଲ୍ଲଭ ଭୋଗ ଓ ସକାଳ ଧୂପ ଭୋଗ ସଂପନ୍ନ ହୋଇଛି । ସକାଳ ଧୂପରେ କେବଳ ଖେଚୁଡ଼ି ଭୋଗ ହୋଇଥିବା ବେଳେ ଶ୍ରୀଜିଉଙ୍କ ସେନାପଟା ଲାଗି ନୀତି କରାଯାଉଛି । ଏହାପରେ ମହାପ୍ରଭୁଙ୍କର ଦଇତାପତି ଓ ବିଦ୍ୟାପତି ସେବକମାନେ ପୁଷ୍ପାଞ୍ଜଳି ଓ ଡୋରଲାଗି କରି ପହଣ୍ଡି ନୀତି ଅନୁଷ୍ଠିତ ହେବ ।

ଧାଡ଼ି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ବଡ଼ଭାଇ ବଳଭଦ୍ର, ମା ସୁଭଦ୍ରା ଓ ଶେଷରେ କାଳିଆ ଠାକୁର ତିନି ରଥକୁ ବିଜେ ହେବେ । ପହଣ୍ଡି ନୀତି ଶେଷ ହେବା ପରେ ମଦନ ମୋହନ ଓ ରାମକୃଷ୍ଣଙ୍କୁ ପହଣ୍ଡି କରାଯାଇ ରଥ ଉପରେ ଶ୍ରୀଜିଉଙ୍କ ବେଶ ହେବ । ଏହାପରେ ଗଜପତି ମହାରାଜା ଛେରା ପହଁରା ନୀତି କରିବେ । ଦିନ ୧୨ଟା ରଥ ଟଣା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି ।

ମଙ୍ଗଳବାର ରାତିରୁ ୨ ତାରିଖ ଅର୍ଥାତ ଗୁରୁବାର ରାତି ୧୦ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ । ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବଡଦାଣ୍ଡକୁ କାହାକୁ ଆସିବାକୁ ଦିଆଯାଉ ନାହିଁ । କେବଳ ସେବକମାନେ ରଥ ଟାଣିପାରିବେ । ବଡଦାଣ୍ଡରେ କଡା ସୁରକ୍ଷା ଭିତରେ ସବୁ କିଛି କରାଯାଉଛି । ସୁରକ୍ଷା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୁରୀର ସମସ୍ତ ପ୍ରବେଶ ପଥ ସିଲ୍ କରାଯିବା ସହିତ ଗଳିକନ୍ଦିକୁ ସିଲ୍ କରାଯାଇଛି ।

Leave a Reply