ସରିଲା ଜନ୍ମବେଦୀରେ ଲୀଳାଖେଳା, ଆଜି ବାହୁଡ଼ିଯିବେ ମହାପ୍ରଭୁ

ପୁରୀ: ସରିଲା ଜନ୍ମବେଦୀରେ ଲୀଳାଖେଳା । ଆଜି ବାହୁଡ଼ିଯିବେ ମହାପ୍ରଭୁ । ଆଜି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ଯିବେ ଚତୁର୍ଦ୍ଧା ବିଗ୍ରହ । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷାରେ ଅଛନ୍ତି ତିନିରଥ । ବାହୁଡ଼ା ଯାତ୍ରା ପାଇଁ ହୋଇଛି ନୀତିନିର୍ଘଣ୍ଟ । ଭୋର ୪ଟାରୁ ମଙ୍ଗଳ ଆଳତି କରାଯାଇଥିବାବେଳେ ୫ଟା୪୫ରୁ ୬ଟା ୪୫ ମଧ୍ୟରେ ହୋଇଛି ଗୋପାଳ ବଲ୍ଲଭ ଓ ସକାଳ ଧୂପ । ମଧ୍ୟାହ୍ନ ୧୨ଟାରୁ ସାଢେ ୨ଟା ମଧ୍ୟରେ ହେବ ବାହୁଡା ପହଣ୍ଡି । ଦିନ ଗୋଟାଏରୁ ସାଢେ ୨ଟା ମଧ୍ୟରେ ଶେଷ ହେବ ବେଶ । ପରେ ଅପରାହ୍ନ ସାଢେ ୨.୩୦ଟାରୁ ୩ଟା ୩୦ମଧ୍ୟରେ ଛେରା ପହଁରା କରାଯାଇ ଅପରାହ୍ନ ୪ଟାରୁ ଆରମ୍ଭ ହେବ ରଥଟଣା ।

ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଆଇନ ଶୃଙ୍ଖଳା, ଟ୍ରାଫିକ ଓ ଶୃଙ୍ଖଳିତ ରଥଟଣା ଉପରେ ଫୋକସ କରାଯାଇଛି । ସ୍ବତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ ଆପଣାଯାଇଛି । ଜରୁରୀକାଳୀନ ସେବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା ହୋଇଛି । ସୁନାବେଶରେ ମଧ୍ୟ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ ରଖି ସ୍ୱତନ୍ତ୍ର ବ୍ୟାରିକେଡ୍ ଆଦିର ବ୍ୟବସ୍ଥା କରାଯିବ ।